ସାଧାରଣତଃ ରୋଷେଇରେ ଟମାଟ ବ୍ୟବହାର କରାଯାଇଥାଏ । ପ୍ରାୟତଃ ଲୋକମାନେ ରୋଷେି କରିବା ସମୟରେ ଡାଲି ହେଉ କିମ୍ବା ତରକାରୀରେ ଟମାଟ ବ୍ୟବହାର କରିଥାନ୍ତି । କାରଣ ଟମାଟ ପଡ଼ିବା ଦ୍ୱାରା ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଟମାଟରେ ଭିଟାମିନ୍ ସି ଏବଂ ଭିଟାମିନ୍ ଇ ରହିଥାଏ, ଯାହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଏଥିସହ ଟମାଟରେ ଲାଇକୋପିନ୍ ନାମକ ତତ୍ତ୍ୱ ରହିଥାଏ, ଯାହା ତ୍ୱଚା ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ ଜଣାଇବୁ, ଯାହା ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚାରୁ ଟ୍ୟାନିଂ ସମସ୍ୟା ଦୂର ହେବା ସହ ଉଜ୍ୱଳତା ଦେଖାଯିବ । ତେବେ ଆସନ୍ତୁ ଜାଣିବା ତ୍ୱଚାରେ ଟମାଟ ବ୍ୟବହାର କରିବେ କିପରି?
ଫାଳେ ଟମାଟ ନେଇ ଆପଣ ସେଥିରୁ ରସ ବାହାର କରିଦିଅନ୍ତୁ । ଏବେ ସେହି ରସକୁ ମୁହଁରେ ଲଗାନ୍ତୁ । ଲଗାଇବାର କିଛି ସମୟ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଦେଖାଯିବା ସହ ତେଲିଆପଣ ଦୂର ହୋଇଥାଏ ।
ସେହିଭଳି ଚେହେରାରୁ ଟ୍ୟାନିଂ ସମସ୍ୟାଦୂର କରିବା ପାଇଁ ଆପଣ ଟମାଟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପ୍ରଥମେ ଏକ ବାଉଲ୍ ରେ ଟମାଟ ରସ ବାହାର କରନ୍ତୁ । ଏବେ ସେଥିରେ ଅଳ୍ପ କିଛି ହଳଦୀ, ଅଧା ଚାମଚ ଚନ୍ଦନ ପାଉଡର ମିଶାନ୍ତୁ । ଏହାପରେ ଆପଣ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ । ଲଗାଇବାର କିଛି ସମୟରେ ପରେ ମୁହଁକୁ ଭଲଭାବେ ସଫା କରିଦିଅନ୍ତୁ । ଏହି ପେସ୍ ପ୍ୟାକ୍ କୁ ଆପଣ ସପ୍ତାହରେ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ।
ସେହିଭଳି ଟମାଟ ସ୍କ୍ରବ୍ ତ୍ୱଚା ପାଇଁ ଲାଭକାରୀ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ରରେ ଟମାଟ ରସ ବାହାର କରି ସେଥିରେ ଅଳ୍ପ କିଛି ଚିନି ମିଶାନ୍ତୁ । ଏହାପରେ ଏହି ମିଶ୍ରଣକୁ ଚେହେରାରେ ଲଗାଇ ହାଲୁକା ମସାଜ୍ କରନ୍ତୁ । ୨ ରୁ ୩ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରିବା ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହାଦ୍ୱାରା ଡେଡ୍ ସ୍କିନ୍ ଦୂର ହୋଇ ତ୍ୱଚାରେ ଗ୍ଲୋ ଦେଖାଯାଇଥାଏ ।