ଆଜିକାଲି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅଧିକାଂଶ ଲୋକମାନେ ସୁସ୍ଥ ଶରୀର ପାଇଁ ଧ୍ୟାନ ଦେଇପାରନ୍ତି ନାହିଁ । ଏନେଇ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବିଶେଷ କରି ଖରାଦିନେ ଶରୀର ପ୍ରତି ଧ୍ୟାନ ନଦେବା ଦ୍ୱାରା ନା ନା ପ୍ରକାର ଅସୁବିଧା ହୋଇଥାଏ । ଏଥିପାଇଁ ଅଧିକ ଗରମରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏପରି ପରିସ୍ଥିତିରେ ଶରୀରରେ ଉଚିତ୍ ପରିମାଣର ଭିଟାମିନ୍ ଏବଂ ମିନେରାଲ୍ସ ରହିବା ଆବଶ୍ୟକ । ତେବେ ଶରୀରକୁ ଉପକାର କରୁଥିବା ଏହି ଜିନିଷ ମଧ୍ୟରୁ ଗୋଟିଏ ହେଉଛି ସପୁରୀ ଜୁସ୍।
ସପୁରୀ ରସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ହଜମ ପ୍ରକ୍ରିୟା ସଠିକ୍ କରିବାରେ ସାହାଯ୍ୟ କରିଥାଏ । ସପୁରୀ ଜୁସ୍ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଖରାଦିନେ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ସେହିଭଳି ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏନଜାଇମ୍ ବ୍ୟବହୃତ ହୁଏ। ଏଥିପାଇଁ ଖରାଦିନେ ଗରମ ପ୍ରଭାବରୁ ରକ୍ଷା ପାଇବା ପାଇଁ ସପୁରୀ ଖାଇବା ଉଚିତ୍ । ତେବେ ଜାଣି ରଖନ୍ତୁ ସପୁରୀ ଜୁସ୍ ପିଇବା ଦ୍ଵାରା କଣ ଫାଇଦା ମିଳେ ?
ସପୁରୀ ଜୁସ୍ ରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧ (ଥିଏମାଇନ୍), କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ରହିଥାଏ।
ସପୁରୀ ରସ ପିଇବା ଦ୍ଵାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିବା ସହ ତ୍ୱଚାରେ ଉଜ୍ୱଳତା ଦେଖାଯାଇଥାଏ । ସେହିଭଳି ବୟସ ବଢିବା ସହିତ ଚର୍ମ ସତେଜ ରୁହେ ଏବଂ ଚର୍ମରେ କୁଞ୍ଚନ ଦେଖାଯାଏ ନାହିଁ । ଏନେଇ ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ।
ସେହିଭଳି କେବେ କେବେ ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରି ଭାରି ଲାଗିବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ସମୟରେ ସପୁରୀ ଜୁସ ପିଇବା ଦ୍ଵାରା ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଏଥିସହ ସପୁରୀ ଜୁସ୍ରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ରହିଥାଏ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ପ୍ରତିଦିନ ସପୁରୀ ଜୁସ୍ ପିଉଛନ୍ତି ତେବେ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।