ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗିରଫ । ଅନୂସୁଚିତ ଜାତି ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ ଅଭିଯୋଗ ଆଧାରରେ ହିସାର ପୋଲିସ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରିଛି । ଗତବର୍ଷ ରୋହିତ ଶର୍ମାଙ୍କ ସହ ଲାଇଭ ଚାଟ୍ ସମୟରେ ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଅନୂସୁଚିତ ଜାତିଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିଥିବା ଯୁବରାଜଙ୍କ ଉପରେ ଅଭିଯୋଗ ରହିଛି। ଏହି ମାମଲାରେ ହରିୟାଣାର ହାଂସି ସହର ଥାନାରେ ଯୁବରାଜଙ୍କ ବିରୁଦ୍ଧରେ କେସ୍ ରୁଜୁ ହୋଇଥିଲା ସୂଚନା ଅନୁଯାୟୀ, ହାଂସି ପୋଲିସ ଯୁବରାଜ ସିଂହଙ୍କୁ ଗିରଫ କରିବା ପରେ ପଚରାଉଚୁରା କରିଛି । ଏହାପରେ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡିଛି ପୋଲିସ । ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଯୁବରାଜଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ । ଫଳରେ ଔପଚାରିକ ଭାବେ ହାଂସି ପୋଲିସ ତାଙ୍କୁ ଗିରଫ କରି ପଚରାଉଚୁରା କରିବାପରେ ଅଗ୍ରୀମ ଜାମିନ କାଗଜପତ୍ର ଆଧାରରେ ଛାଡି ଦେଇଛି ।ତେବେ ଯୁବରାଜ ସିଂହ ମଜାକରେ ୟୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତିସୂଚକ ଶବ୍ଦର ବ୍ୟବହାର କରିଥିଲେ । ମାମଲା ଅଧିକ ବଢିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମଧ୍ୟ ପ୍ରାର୍ଥନା କରିଥିଲେ । ଯେଉଁଥିରେ ଯୁବରାଜ କହିଥିଲେ-” ମୁଁ ଏହା ସ୍ପଷ୍ଟ କରିବାକୁ ଚାହେଁ ଯେ, ରଙ୍ଗ, ଜାତି ଆଧାରରେ କୌଣସି ପ୍ରକାର ଭେଦଭାବରେ ବିଶ୍ବାସ କରେନାହିଁ । ମୁଁ ଲୋକଙ୍କ ଭଲ ପାଇଁ ଜୀବନ ଜିଇଁଛି ଓ ଆଗକୁ ମଧ୍ୟ ଏହିପରି ବଞ୍ଚିବାକୁ ଚାହୁଁଛି । ମୁଁ ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ କରେ । ମୁଁ ମୋର ବନ୍ଧୁଙ୍କ ସହ କଥା ହେଉଥିଲି ଓ ସେହି ସମୟରେ ମୋର କଥାକୁ ଭୁଲ ଭାବେ ନିଆଗଲା, ଯାହା ଅନୁଚିତ ଥିଲା । ଜଣେ ଦାୟିତ୍ବସଂପନ୍ନ ଭାରତୀୟ ହୋଇଥିବାରୁ ମୁଁ କହିବାକୁ ଚାହେଁ, କି ଅଜାଣତରେ ଯଦି ମୋର କଥା କାହାରିକୁ ଦୁଃଖ ପହଞ୍ଚାଇଥାଏ, ତେବେ ମୁଁ ଦୁଃଖିତ ।”