ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଜଣେ ଯୁବକଙ୍କ ତୁମୁଳକାଣ୍ଡ । ଦେଖନ୍ତୁ ଏ ହେଉଛନ୍ତି ସେହି ଯୁବକ, ଆଉ ଦେଖନ୍ତୁ ତାଙ୍କ ରାଗ ତମତମର କଥାବାର୍ତା । ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଜଣକ ଏଭଳି ହୋହାଲ୍ଲା କରିଥିଲେ ଯେ ଅଙ୍ଗନବାଡି କର୍ମୀ ମଧ୍ୟ ଭୟରେ ଛାନିଆ ହୋଇଯାଇଥିଲେ । ଉତ୍ତ୍ୟକ୍ତ ଯୁବକ ଜଣକ କେତେଜଣ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଭିତରେ ଭର୍ତି କରି ବାହାରୁ ଗେଟ ବନ୍ଦ କରିଦେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ । ଯୁବକ ଜଣକ ଏହି ଭଳି କିଛି ସମୟ ତୁମୁଳକାଣ୍ଡ ଘଟାଇବା ପରେ ପୋଲିସ ଆସି ସେଠାରେ ପହଞ୍ଚି ତାଙ୍କୁ ଥାନାକୁ ଉଠାଇ ନେଇଥିଲା । ବର୍ତ୍ତମାନ ଏହି ଘଟଣା ବାଲିକୁଦା ବ୍ଲକର ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଯୁବକ ଜଣକ କାହିଁକି ଏଭଳି ତୁମୁଳକାଣ୍ଡ କଲେ ତାହାର ସ୍ପଷ୍ଟ କାରଣ ଜଣାପଡି ନାହି । ତେବେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତିରେ ( ସିଡିପିଓ) ଅନିୟମିତତା କରିଥିବାରୁ ଏହି ଯୁବକ ଜଣକ ଏଭଳି କାଣ୍ଡ ଘଟାଇଥିବା ଆଲୋଚନା ହେଉଛି । ପୋଲିସ ଏହି ଯୁବକକୁ ଜେରା କରିବା ପରେ ପ୍ରକୃତ ରହସ୍ଯ ଲୋକଲୋଚନକୁ ଆସିବ ବୋଲି ଆଶା କରାଯାଉଛି । ଏଣୁ ଜିଲ୍ଲାପାଳ ତୁରନ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରନ୍ତୁ, ଆଉ ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରକୃତ ରହସ୍ଯ ସାମ୍ନାକୁ ଆଣନ୍ତୁ ବୋଲି କୁହାଯାଉଛି । ଆଉ ଯଦି ବାସ୍ତବରେ ଅଙ୍ଗନବାଡି କର୍ମଚାରି ନିଯୁକ୍ତିରେ (ସି ଡି ପି ଓ ) ଅନିୟମିତତା କରିଥାଆନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।