ଆଜିର ଯୁବପିଢ଼ି ପାରମ୍ପରିକ ପେସା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି | ପୁରୁଖା ଲୋକମାନେ ସେମାନଙ୍କ ବାପା ଅଜା ଅମଳର ଶିଳ୍ପ କାରିଗରକୁ ବଞ୍ଚାଇ ରଖିଛନ୍ତି | ନିହଣ ମୁନରେ ପଥରକୁ କାଟି ଏଭଳି ମୂର୍ତ୍ତି ନିର୍ମାଣ କରନ୍ତି, ଆପଣ ସେ ମୂର୍ତ୍ତିକୁ ଦେଖିଲେ ଘଡ଼ିଏ ଚାହିଁ ରହିବେ | କିନ୍ତୁ ଆଜି ଆମେ ଆପଣଙ୍କ ଏମିତି ଜଣେ ଯୁବଶିଳ୍ପୀଙ୍କ ବିଷୟରେ କହୁଛୁ ଯିଏ ସିମେଣ୍ଟରେ ଅତି ନିଖୁଣ ଭାବେ ମୂର୍ତ୍ତି ନିର୍ମାଣ କରୁଛନ୍ତି | ତାଙ୍କ ହାତର ସ୍ପର୍ଶରେ ସିମେଣ୍ଟ ତିଆରି ମୂର୍ତ୍ତିଟି ସତେ ଯେପରିକଥା କହୁଛି | ଯୁବଶିଳ୍ପୀ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଟେକଧର ସା |
ବଲାଙ୍ଗୀରରୁ ପାଟଣାଗଡ ଗଲା ବେଳେ ରାସ୍ତାରେ ପଡେ ହର୍ଡାଟାଲ୍ ଗ୍ରାମ । ଗ୍ରାମର ଛକରେ ହଠାତ୍ ଆମର ଆଖି ପଡ଼ିଥିଲା ସିମେଣ୍ଟ ତିଆରି ବିଭିନ୍ନ ପ୍ରତିମୂର୍ତ୍ତି ଉପରେ । ଏହି ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ଦେଖି ହଠାତ କିଛି ସମୟ ଅଟକି ଯାଇଥିଲୁ ସେଠି | ଯୁବଶିଳ୍ପୀ ଟେକଧର ସାଙ୍କୁ ତାଙ୍କ ବିଷୟରେ ପଚାରି ବୁଝିଥିଲୁ । ଟେକଧର ପିଲାଟି ଦିନରୁ ବାପାଙ୍କଠାରୁ ସିଖିଛନ୍ତି ଏହି କଳା । ତାଙ୍କ ବାପା ମଧ୍ୟ ଖୁବ ସୁନ୍ଦର ପ୍ରତିମୁର୍ତି ନିର୍ମାଣ କରନ୍ତି | ବିଭିର୍ନ ଠାକୁର, ଦେବାଦେବୀ ଏବଂ ପାର୍କରେ ଫାଉଣ୍ଟେନ ହେଉ କି ଅନ୍ୟ କାହାର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ତାଙ୍କୁ ଅନେକ ଅର୍ଡର ଆସିଥାଏ | ଯଦି କିଛି ସରକାରୀ ସାହାଯ୍ୟ ମିଳନ୍ତା ଏହି କାର୍ଯ୍ୟକୁ ସେ ଆହୁରି ଆଗକୁ ନେଇପାରନ୍ତେ ବୋଲି କହିଛନ୍ତି ଟେକଧର ।