ମହିଳାଙ୍କୁ ବିକ୍ରି କରିଦେଲେ ଦଲାଲ | ବିବାହ ନାଁରେ ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନ ନିଆଯାଇ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ ଦଲାଲ | ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ | ମାନବ ଚାଲାଣ ନେଇ ମାମଲା ରୁଜୁ ହେବା ପରେ ଝାରସୁଗୁଡ଼ା ପୋଲିସ ରାଜସ୍ଥାନ ଯାଇ ମହିଳାଙ୍କୁ ଉଦ୍ଧାର କରିଛି | ଏଥିସହ ମାନବ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡ଼ା ପୁଲିସ । ରାକେଟର ମାଷ୍ଟରମାଇଣ୍ଡ ସୁପ୍ରିୟା ପ୍ରଜାପତି ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୁପ୍ରିୟା ପ୍ରଜାପତିର ଘର ମଧ୍ୟପ୍ରଦେଶ ନିମୂଜ ରାମପୁରା ଅଞ୍ଚଳରେ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ, ଝାରସୁଗୁଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଅଭିଯୁକ୍ତମାନେ ରାଜସ୍ଥାନ ନେଇ ଯାଇଥିଲେ । ସେଠାରେ ଜୋର୍ ଜବରଦସ୍ତ ମନୋଜ ପ୍ରଜାପତି ନାମକ ବ୍ୟକ୍ତି ସହ ବାହା କରାଇଥିଲେ । ରାଜସ୍ଥାନରେ ତାଙ୍କ ଉପରେ ନିର୍ଯାତନା ହେବାରୁ ପୀଡ଼ିତା ଜଣଙ୍କ ତାଙ୍କର ଜଣେ ସାଙ୍ଗକୁ ଏ ବିଷୟରେ ଫୋନ କରି ଜଣାଇଥିଲେ । ଟାଉନ ଥାନାରେ ଏନେଇ ଅଭିଯୋଗ ହେବା ପରେ ଝାରସୁଗୁଡ଼ା ପୋଲିସ୍ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।