ଏମିତି ବି ଆସିପାରେ ମୃତ୍ୟୁ | କିଏ ଜାଣିଥିଲା ବିବାହ ଉତ୍ସବ ପାଲଟିବ ମହାଯାତ୍ରା। ବିବାହ ଉତ୍ସବରେ ଘୋଟିଗଲା କଳା ବାଦଲ | ମଉଳି ଗଲା ସବୁ ଖୁସି। ହସଖୁସି ପରିବେଶ କିଛି ସମୟ ଭିତରେ କାନ୍ଦବୋବାଳୀରେ ଫାଟିପଡିଲା | ଜଣେ କି ଦୁଇଜଣ ନୁହେଁ ଏକା ସାଙ୍ଗରେ ୧୩ଜଣଙ୍କୁ ସାଙ୍ଗରେ ନେଇଗଲା ମୃତ୍ୟୁର କାଳଫାଶ । ଉତ୍ତରରପ୍ରଦେଶ କୁଶୀନଗରରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା | ଯାହା ସାରା ଦେଶକୁ ଦୋହଲାଇ ଦେଇଛି ।
ଗତକାଲି ରାତି 10ଟାରେ ଗୋଟିଏ କୂଅ ନିକଟରେ ଚାଲିଥିଲା ହଳଦି ରସମ୍ । ମହିଳାମାନେ ନାଚଗୀତ କରୁଥିଲେ। କୂଅ ଉପରେ ପଡିଥିବା ସ୍ଲାବ ଉପରେ ପ୍ରାୟ 30ଜଣ ବସି ଉପଭୋଗ କରୁଥିଲେ ଏହି ଉତ୍ସବକୁ | ଅଧିକ ଲୋକେ ବସିବାରୁ ସ୍ଲାବ୍ ଭାର ସମ୍ଭାଳି ନପାରି ତଳକୁ ଖସି ପଡ଼ିଥିଲା । ସ୍ଲାବ୍ ଉପରେ ବସିଥିବା ଲୋକେ ମଧ୍ୟ କୂଅକୁ ଖସି ପଡ଼ିଥିଲେ। ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ | ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନଙ୍କ ମଧ୍ୟରେ ସମସ୍ତେ ମହିଳା ଓ ଶିଶୁ ବୋଲି ଜଣାପଡିଛି |