ପଞ୍ଚାୟତ ନିର୍ବାଚନକୁ ନେଇ ଦେଖା ଦେଇଥିଲା ହିଂସା | ନିର୍ବାଚନ ସମୟରେ ପୋଲିସ ଏବଂ ଗୋଟିଏ ସାହି ମଧ୍ୟରେ ହୋଇଥିଲା ଗଣ୍ଡଗୋଳ | ଉକ୍ତ ସାହିର ଲୋକମାନଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ | ସେମାନଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଗାଁରେ ରାତିଅଧିଆ ହେଉଥିଲା ଚଢ଼ାଉ | ପୋଲିସ ଡରରେ ସେବେଠାରୁ ଗାଁ ହୋଇଯାଇଥିଲା ପୂରୁଷ ଶୁନ୍ୟ | ତେବେ ଗତକାଲି ରାତିରେ ଘରେ କେହି ନଥିବା ବେଳେ ଜଣେ ୧୮ ବର୍ଷର ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଯୁବତୀଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ଥାନା ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତର ହାବେଳି ଗ୍ରାମରେ ଉତ୍ତେଜନା ଦେଖାଦେଇଛି | ଘରେ କେହି ବଡ ଲୋକ ନଥିବା ବେଳେ ୩ ଜଣ ଝିଅ ଥିବା ସମୟରେ ପୋଲିସ ଆସିଥିଲା | ପୋଲିସର ଅତ୍ୟାଚାର ସହି ନ ପାରି ଯୁବତୀ ବର୍ଷା ନାଥ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମୃତଦେହକୁ ନାଉଗାଁ ମୁଖ୍ୟ ରାସ୍ତାରେ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟେଇବାକୁ ଚେଷ୍ଟା କରିବା ସହ ଲୋକମାନଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି |
https://youtu.be/WhQyxgTxoxo
ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନ ସମୟରେ ପୋଲିସ ଓ ପଲି ପଞ୍ଚାୟତର ନାଥସାହି ଲୋକମାନଙ୍କ ସହ ନିର୍ବାଚନୀ ହିଂସା ଘଟିଥିଲା । ଗ୍ରାମର ଲୋକମାନଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା। ସେବେଠାରୁ ଗ୍ରାମ ପୂରାପୂରି ଭାବରେ ପୁରୁଷ ଶୁନ୍ୟ ହୋଇ ଯାଇଥିଲା। ସେବେଠାରୁ ପୋଲିସ୍ ଏହି ଗ୍ରାମର ଲୋକମାନଙ୍କୁ ଭୟଭୀତ କରୁଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପୋଲିସର ଅତ୍ୟାଚାର ସହି ନ ପାରି 18 ବର୍ଷର ଯୁବତୀ ବର୍ଷା ନାଥ ଆତ୍ମହତ୍ୟା କରିଛନ୍ତି ବୋଲି ଝିଅର ବାପା ଅଭିଯୋଗ କରିଛନ୍ତି । ଗାଁରେ ପୋଲିସ ନିର୍ଯାତନା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛନ୍ତି ।