ଝିମିଟି ଖେଳରୁ ମହାଭାରତ | ଏକ ଶିଶୁର ସାମାନ୍ୟ ଭୁଲକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଉଗ୍ର ରୂପ ନେଇଛି ବିବାଦ | ଜଣେ ପଡୋଶୀଙ୍କ ମରଣାନ୍ତକ ଆକ୍ରମଣ ଯୋଗୁ ଦୁଇ ଶିଶୁଙ୍କ ସମେତ ଜୈନିକା ମହିଳା ହୋଇଛନ୍ତି ଆହତ | ଏପରିକି ପଡୋଶୀ ଜଣକ ଘରେ ନିଆଁ ଲଗାଇ ସମସ୍ତଙ୍କୁ ମାରି ଦେବାକୁ ଦେଉଛନ୍ତି ଧମକ | ଏ ନେଇ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନ ମିଳିବାରୁ ସେ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଯଦି ପ୍ରଶାସନ ତାଙ୍କୁ ନ୍ୟାୟ ପ୍ରଦାନ ନକରନ୍ତି ତେବେ ସେ ଥାନା ସମ୍ମୁଖରେ ସପରିବାର ଆତ୍ମହୂତି କରିବେ ବୋଲି ଦେଇଛନ୍ତି ଚେତାବନୀ | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବାଙ୍କିଟିଆ ଗ୍ରାମରେ |
ଅଭିଯୋଗ ଅନୁସାରେ, ବାଙ୍କିଟିଆ ଗ୍ରାମର ବାସନ୍ତୀ ନାଏକ ତାଙ୍କର ଚାରି ଜଣ ପିଲାଙ୍କୁ ନେଇ ରୁହନ୍ତି | ତାଙ୍କ ସ୍ୱାମୀ ବିପିନି ନାଏକ ଜଣେ ଦିନ ମଜୁରିଆ ଭାବେ ବାହାରେ କାମ କରନ୍ତି l ଗତ 2 ତାରିଖରେ ବାସନ୍ତୀଙ୍କ 5 ପାଞ୍ଚ ବର୍ଷର ପୁଅ ଘର ସାମ୍ନାରେ ଏକ ଲାଇଟର ଧରି ଖେଳୁଥିଲା | ତାଙ୍କ ପଡୋଶୀ ସଞ୍ଜୟ ନାଏକ ତାଙ୍କ ଗାଡିରେ ନିଆଁ ଲାଗିଯିବ ଭାବି ସେଠାରେ ନ ଖେଳିବାକୁ ତାଗିଦ କରିଥିଲେ | କିନ୍ତୁ ଶିଶୁଟି ତାଙ୍କ କଥା ନଶୁଣି ଖେଳିବାରେ ଲାଗିପଡ଼ିଥିଲା | ଏହି ଘଟଣାକୁ ନେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ପରେ ପଡୋଶୀ ସଞ୍ଜୟ ଓ ତାଙ୍କ ସ୍ତ୍ରୀ କବିତା ଏକାଠି ହୋଇ ବାସନ୍ତୀ ଓ ତାଙ୍କର ୫ ବର୍ଷର ପୁଅ ଅଂଶୁମାନ ଓ ୧୩ ବର୍ଷର ଝିଅ ସୋନାଲିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ପୁଅର ହାତ ଭାଙ୍ଗିବା ସହ ଝିଅ ଓ ମା ଆହତ ହୋଇଥିଲେ । ପରେ ବାସନ୍ତୀ ଓ ତାଙ୍କର ୨ ଛୁଆ ଢେ଼ଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ପରେ ସଞ୍ଜୟଙ୍କ ପରିବାର ଆକ୍ରମଣା ତ୍ମକ ମନୋଭାବ ରଖି ଗାଁରେ ବାସନ୍ତୀଙ୍କ ପରିବାରକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ବାରମ୍ବାର ଧମକ ଦେଇଥିଲେ | ସେମାନେ ଭୟଭୀତ ହୋଇ ସପରିବାର ତାଙ୍କ ବାପଘର ଗ୍ରାମ ଛୋଟାପଡାରେ ଆଶ୍ରୟ ନେଇଛନ୍ତି।
ଏ ନେଇ ବାସନ୍ତୀ ରାସଳ ଥାନାକୁ ବାରମ୍ବାର ନିଜର ଅଭିଯୋଗ ନେଇ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲା ପୋଲିସ | ସଞ୍ଜୟ ନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆଜି ସେ ହିନ୍ଦୋଳ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଭୟଭୀତ ଓ ଅସହାୟ ମଧ୍ୟରେ ତାଙ୍କ ପରିବାର ଦିନ ବିତାଉ ଥିବାରୁ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେ ଦାବି କରିଛନ୍ତି | ନ୍ୟାୟ ଓ ସୁରକ୍ଷା ନମିଳିଲେ ରାସଳ ଥାନା ସମ୍ମୁଖରେ ପରିବାର ସହ ଜୀବନକୁ ଆତ୍ମାହୂତି ଦେବାକୁ ପଛାଇବେ ନାହିଁ ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି ବାସନ୍ତୀ ।