ଯୌତୁକ ଜୁଇରେ ଜଳିଗଲେ ପୁଣି ଜଣେ ବଧୂ | ନୃଶଂସ ପାଲଟିଗଲେ ଶାଶୂଘର ଲୋକେ | ପିଟି ପିଟି ମାରି ଦେଲେ ଜଣେ ବୋହୂକୁ | ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦେଲେ | ଏଭଳି ଏକ ବଧୁହତ୍ୟା ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନା ଅନ୍ତର୍ଗତ ଜମରା ଗ୍ରାମରୁ । ଶାଶୁଘର ଲୋକେ ପିଟି ପିଟି ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତା ସବିତାଙ୍କ ଭାଇ ଖଗେଶ୍ବର ଲେଙ୍କା । ଗତ ୭ ବର୍ଷ ତଳେ ମାର୍ଶାଘାଇ ଥାନା ଅନ୍ତର୍ଗତ ହାତୀଆ ଗାଁର ସବିତା ଲେଙ୍କା ଜମରା ଗ୍ରାମର ଅନୀଲ ରାଉତଙ୍କୁ ବିବାହ କରିଥିଲେ । ଅନୀଲ ସବୁବେଳେ ନିଶାଶକ୍ତ ହୋଇ ସବିତାଙ୍କୁ ବାଡ଼ିଆମରା କରିଆସୁଥିଲେ । ପରିବାର ଲୋକେ ମଧ୍ୟ ଅନୀଲଙ୍କୁ ସମର୍ଥନ କରି ସବିତାଙ୍କ ଉପରେ ନାନା ଅତ୍ୟାଚାର ଚଳାଇ ଆସୁଥିଲେ । ଅନେକଥର ସବିତାଙ୍କ ଭାଇ ଖଗେଶ୍ବର ଏହି ଘଟଣାର ସମାଧାନ କରିଆସିଥିଲେ । ଗତକାଲି ରାତିରେ ସବିତାଙ୍କ ମରଶରୀରକୁ ନେଇଯାଅ ବୋଲି କହି ସବିତାଙ୍କ ଶାଶୁ ଖଗେଶ୍ବରଙ୍କୁ ଫୋନ୍ କରିଥିଲେ । ଏଭଳି ଖବର ପାଇ ଖଗେଶ୍ବର ଗତକାଲି ରାତିରେ ଜମରା ଗାଁରେ ସବିତାଙ୍କ ଶାଶୁଘରେ ପହଞ୍ଚି ସବିତାଙ୍କ ମୃତଦେହ ଦେଖି ବିଚଳିତ ହୋଇଯାଇଥିଲେ । ସବିତାଙ୍କ ଦେହରେ ଅନେକ ସ୍ଥାନରେ ଖଣ୍ଡିଆଖାବରା ଦାଗ ରହିଥିବା ଖଗେଶ୍ବର ଅଭିଯୋଗ କରିଛନ୍ତି । ସବିତାଙ୍କୁ ମାଡମାରି ତାଙ୍କ ଶାଶୁଘର ଲୋକେ ମାରିଦେଇଥିବା ସେ ସନ୍ଦେହ କରିଛନ୍ତି । ଘଟଣାସ୍ଥଳରେ ନିକିରାଇ ପୋଲିସ ଓ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
https://youtu.be/EP18fq8sljI