ଅନ୍ଧାର ରାତିରେ ବିଲ ମଝିରେ ମହିଳାଙ୍କୁ ବିଭତ୍ସ ହତ୍ୟା । ଦୁଷ୍କର୍ମକୁ ବିରୋଧ କରିବାରୁ ହତ୍ୟା | କେତେଜଣ ଅସାମାଜିକ ବ୍ୟକ୍ତି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ | କିନ୍ତୁ ଏଥିରେ ସଫଳ ହୋଇପାରିନଥିଲେ | ଫଳରେ ରାଗରେ ମହିଳାଙ୍କୁ ହତ୍ୟା କରିଥିବା ପରିପାର୍ଶ୍ଵିକ ସ୍ଥିତି ଦେଖି ଅନୁମାନ କରାଯାଉଛି | ଗତକାଲି ରାତିରେ ବଲାଙ୍ଗିର ସହର ଲର୍କିପାଲିଠାରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତା ସ୍ୱାମୀ ପରିତ୍ୟକ୍ତା ମହିଳା ଜଣକ ହେଉଛନ୍ତି ଅଞ୍ଜନା ପଟେଲ । ହତ୍ୟାକାଣ୍ଡକୁ ନେଇ ବଲାଙ୍ଗୀରରେ ସୃଷ୍ଟି ହୋଇଛି ହଇଚଇ ।
ଗତକାଲି ରାତି ପ୍ରାୟ ୯ ଟା ସମୟରେ ଲର୍କିପାଲି ଗାଁର ୪୫ ବର୍ଷୀୟା ମହିଳା ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ । ତାପରେ ଆଉ ସେ ଆଉ ଘରକୁ ଫେରିନଥିଲେ। ରାତିରେ ପରିବାର ଲୋକେ ଦୀର୍ଘ ସମୟ ତାଙ୍କୁ ଖୋଜାଖୋଜି କରିଥିଲେ | କିନ୍ତୁ ପରେ ଏକ ବିଲ ଭିତରେ ଅଞ୍ଜନା ପଟେଲଙ୍କ ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ରାତିରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ୟବଚ୍ଛେଦ ଗୃହରେ ଭିତରେ ରଖିଛି । ଆଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରେ ମଦ ବୋତଳ ପଡି ରହିଛି । କିଛି ଲୋକ ମଦ ପିଇଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିବା ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ଟାଉନ ପୋଲିସ ଘଟଣାର ତନାଘନା ତଦନ୍ତ ଜାରି ରଖିଛି ।