ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଘନ କୁହୁଡ଼ି ସାଙ୍ଗକୁ ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଶୀତ ଲହରି। ଉଭୟ ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କନ୍ଧମାଳର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 10ଡିଗ୍ରୀ ରେର୍କଡ କରାଯାଇଥିବା ବେଳେ ରାଜ୍ୟର 8ଟି ସହରର ତାପମାତ୍ରା 15ଡିଗ୍ରୀରୁ ତଳକୁ ରହିଥିବା ଜଣାପଡିଛି। ସକାଳ ପାଖାପାଖି ୯ଟା ଯାଏଁ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସମଗ୍ର ଦାରିଙ୍ଗବାଡ଼ି ଅଞ୍ଚଳ । ବଲାଙ୍ଗୀରରେ ୧୨.୮ ଡିଗ୍ରୀ , ଫୁଲବାଣୀରେ ୧୩ ଡିଗ୍ରୀ, ଟିଟିଲାଗଡ଼ରେ ୧୩.୩ ଡିଗ୍ରୀ, କୋରାପୁଟରେ ୧୪ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୪ ଡିଗ୍ରୀ, କେନ୍ଦୁଝରରେ ୧୪.୮ ଡିଗ୍ରୀ ଓ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସ୍ ରହିଛି । ସେହିଭଳି ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ରହିଛି । ଆସନ୍ତା ୧୫ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ । ଆଗାମୀ 3ରୁ 4ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ହେବାକୁ ଥିବା ବେଳେ ଶୀତର ପ୍ରକୋପ ଆହୁରି ବଢିବ । ସର୍ବନିମ୍ନ ୪ରୁ ୫ ଡିଗ୍ରୀ ତାପମାତ୍ରା କମିପାରେ ବୋଲି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଗାମୀ 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ଘନ କୁହୁଡି ଦେଖିବାକୁ ମିଳିବ । ଘନ କୁହୁଡି ଯୋଗୁ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି ।