ରବିବାର ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ରାଜଭବନରେ ରାତ୍ରୀଯାପନ ପରେ ରାଷ୍ଟ୍ରପତି ଆଜି ସକାଳୁ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବା ପାଇଁ ପାରାଦୀପ ଯିବେ।
ଖବର ଅନୁଯାୟୀ, ସୋମବାର ସକାଳରୁ ରାଜଭବନରୁ ବାହାରି ବିମାନ ବନ୍ଦରକୁ ଯିବେ । ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗ ରାଷ୍ଟ୍ରପତି ପାରାଦୀପ ଯିବେ । ଏଥିପାଇଁ ୩ଟି ହେଲିକପ୍ଟରର ବ୍ୟବସ୍ଥା ହୋଇଛି । ଗୋଟିଏ ହେଲିକପ୍ଟରରେ ରାଷ୍ଟ୍ରପତି ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବସିବେ । ଆଉ ୨ୟ ହେଲିକପ୍ଟରରେ ଅନ୍ୟ ସୁରକ୍ଷା କର୍ମା ଏବଂ ତୃତୀୟ ହେଲିକପ୍ଟରରେ ଡାକ୍ତର, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କର୍ମଚାରୀ, ଫଟୋଗ୍ରାଫର, ପିଅନ୍ ଯିବେ ।
ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିବା ପରେ ରାଷ୍ଟ୍ରପତି ବିଭିନ୍ନ ଉଦ୍ଘାଟନ କରିବେ । ଏହାସହ କିଛି ପ୍ରକଳ୍ପର ଶିଳାନ୍ୟାସ ବି କରିବେ । ଏହାପରେ ରାଷ୍ଟ୍ରପତି କୋଷ୍ଟଗାର୍ଡ ଜାହାଜରେ ମେରାଇନ୍ ସାଇଟ୍ ବୁଲିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି କୋଷ୍ଟଗାର୍ଡର ଦୁଇଟି ଜାହାଜ କିଛି ଦିନ ହେବ ପାରାଦୀପ ବନ୍ଦରରେ ପଇଁତରା ମାରୁଛି । ଏହାପରେ ରାଷ୍ଟ୍ରପତି ମଧ୍ୟାହ୍ନ ୧୨.୩୦ ମିନିଟିରେ ନେହେରୁବଙ୍ଗଳାର ଜବାହର ଗେଷ୍ଟ ହାଉସ୍ରେ ପହଞ୍ଚିବେ । ସେଠାରେ କିଛି ମତ୍ସ୍ୟଜୀବୀଙ୍କୁ ଭେଟି ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ ୩ ଟା ୩୦ ମିନିଟ୍ରେ ଭୁବନେଶ୍ୱର ଫେରିବେ । ଆଉ ଭୁବନେଶ୍ୱରରୁ ସାଢେ ୪ଟାରେ ପହଞ୍ଚି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।