କିଛିଦିନ ହେବ ପୁଣି ଗାଁମାନଙ୍କରେ ଜଙ୍ଗଲୀ ଭାଲୁର ଉପଦ୍ରବ ଦେଖିବାକୁ ମିଳିଛି । କେତେବେଳେ କାହା ଘରକୁ ପଶିଯାଉଛନ୍ତି ତ ଆଉ କେତେବେଳେ ଜନସାଧାରଣଙ୍କ ଉପରକୁ ଆକ୍ରମଣ କରୁଛନ୍ତି । ଗ୍ରୀଷ୍ମ ତାତିରେ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହୋଇଯାଉଛି । ଯାହାଫଳରେ ଜୀବଜନ୍ତୁଙ୍କ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଉଛି । ଯେଉଁଥିପାଇଁ ଜଙ୍ଗଲୀ ଜୀବମାନେ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥାନ୍ତି ।
ତେବେ ଏମିତି ହିଁ ଏକ ଦୃଶ୍ୟ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଚରାମୁଳା ଗ୍ରାମରେ ଦେଖିବାକୁ ମିଳିଛି । ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ପ୍ରତିଦିନ ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବାନୁଯାୟୀ, ପ୍ରତ୍ୟେକ ଦିନ ଦୁଇରୁ ତିନୋଟି ଜଙ୍ଗଲୀ ଭାଲୁ ଆସି ଚରାମୁଳାସ୍ଥିତ ସୋଲାର ପାୱାର ପ୍ଲାଣ୍ଟ ନିକଟରେ ଥିବା ନିମ୍ବ ଗଛରୁ ପଡୁଥିବା ନିମ୍ବ ଫଳ ଖାଉଛନ୍ତି ଏବଂ ସାମାନ୍ୟ ନିଶାଶକ୍ତ ହୋଇ ସେହି ଗଛମୂଳେ ହିଁ ଦିନ ତମାମ ଶୋଇ ରହୁଛନ୍ତିି । ଯେଉଁଥିପାଇଁ ଗ୍ରାମବାସୀ ଓ ପାୱାର ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଭୟ ଲାଗି ରହୁଛି । ସେହିପରି ଗତ ବର୍ଷ ମଧ୍ୟ ଚରାମୂଳା ସୋଲାର ପ୍ଲାଣ୍ଟ ଭିତରେ ଗୋଟିଏ ମା ଭାଲୁ ଛୁଆ ଜନ୍ମ ଦେଇଥିଲା ।ଏହି ଖବର ଗଣ ମାଧ୍ୟମରେ ପ୍ରକାଶ ହେବାପରେ ବନ କର୍ମଚାରୀ ଦିନରାତି ସୋଲାର ପ୍ଲାଣ୍ଟ ନିକଟରେ ପଇଁତରା ମାରି ଜନସାଧାରଣଙ୍କୁ ସୁରକ୍ଷା ଦେଇଥିଲେ । ତେବେ ଛୁଆ ବଡ଼ ହେବାପରେ ଉଭୟ ମା ଏବଂ ଛୁଆ ଜଙ୍ଗଲ ମୁହାଁ ହୋଇଥିଲେ ।ବର୍ତ୍ତମାନ ପୁଣି ଥରେ ଭାଲୁମାନେ ସୋଲାର ପ୍ଲାଣ୍ଟ ନିକଟରେ ଥିବା ନିମ୍ବ ଗଛରେ ଫଳ ଖାଇବା ଉଦେଶ୍ୟରେ ଆସୁଥିବା ଜଣାପଡିଛି । ଦିନ ଥିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଂଚଳ ଟି ବିସ୍ତିର୍ଣ ଜଙ୍ଗଲରେ ପରିପୂର୍ଣ ଥିଲା ।ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁଙ୍କ ପାଇଁ ସେମାନଙ୍କ ଖାଦ୍ୟ ମଧ୍ୟ ସୁବିଧାରେ ମିଳି ଯାଉଥିଲା ! ବର୍ତ୍ତମାନ ବ୍ୟାପକ ଜଙ୍ଗଲ ନଷ୍ଟ କାରଣରୁ ବନ୍ୟଜନ୍ତୁଙ୍କ ପାଇଁ ଖାଦ୍ୟଭାବ ଦେଖାଦେଇଛି । ତେଣୁ ପ୍ରତ୍ୟେକ ଦିନ ଜଙ୍ଗଲୀ ଭାଲୁ, ଗଧିଆ,ବିଲୁଆ ଆଦି ଖାଦ୍ୟ ଅନ୍ୱେଷଣ ପାଇଁ ଗାଁ ମୁହାଁ ହେଉଥିବା ଦେଖାଯାଉଛି ।