ସ୍ୱାମୀ ଚାଲିଯିବା ପରେ ବୁଢ଼ୀ ବୟସରେ ଭତ୍ତା ଟିକକ ହିଁ ସାହା ଭରଷା । ସରକାର ମଧ୍ୟ ସେମାନଙ୍କ କଷ୍ଟ ବୁଝି ବିଧବା ଭତ୍ତାର ବ୍ୟବସ୍ଥା କରିଦେଲେ । ହେଲେ କିଛି ଲାଭ ନାହିଁ । ସ୍ୱାମୀଙ୍କର ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ ନେଇ ଏ ଅଫିସରୁ ସେ ଅଫିସ ହେବାପାଇଁ ନ ଆଉ ବୟସ ଅଛି ନା ଶକ୍ତି। କେତେ ଆଉ କାହା ପାଖରେ ଅନୁରୋଧ କରିବେ । ସରକାରୀ ବାବୁ ମାନଙ୍କୁ କହିଲେ ସେମାନେ ହେଇଯିବା ବୋଲି ମିଛ ପ୍ରତିଶୃତି ଦେଇ ଠକି ଆସିଛନ୍ତି ।
ଘଟଣାଟି ଆଜ୍ଞା ଢେଙ୍କାନାଳ ଜିଲ୍ଳା ହିନ୍ଦୋଳ ବ୍ଲକର କାରନ୍ଦା ପଞ୍ଚାୟତ ଅନ୍ତର୍ଗତ ମାନିଆଁନାଳୀ ଗ୍ରାମର । ଜଣେ କି ଦୁଇଜଣ ନୁହେଁ ପୁରା ତିନିଜଣ 60 ବର୍ଷରୁ ଉର୍ଦ୍ଧ୍ବ ବିଧବା ମହିଳା ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି । ସେମାନେ ହେଉଛନ୍ତି ଅଞ୍ଜନା ରାଉତ, ପାକିଲି ରାଉତ ଏବଂ ପାକିଲି ବେହେରା ।
ଆମ ସରକାର ସମସ୍ତ ବିଧବା ମହିଳା ମାନଙ୍କ ପାଇଁ ପ୍ରତି ମାସ 80 ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ପାଇଁ ସାତସହ ଟଙ୍କା ଏବଂ 80 ବର୍ଷରୁ କମ ବିଧବା ମହିଳାଙ୍କ ପାଇଁ 500 ଟଙ୍କା ର ଭତ୍ତା ଯୋଗାଇ ଦେଉଛନ୍ତି। କିନ୍ତୁ ମାନିଆଁନାଳୀ ଗ୍ରାମରେ ଏନେଇ ଦେଖା ଦେଇଛି ବ୍ୟତିକ୍ରମ । ସ୍ୱାମୀ ମରିବାର ଅନେକ ବର୍ଷ ବିତିଯିବା ପରେ ଆଜି ପର୍ଯ୍ୟନ୍ତ ଭତ୍ତା ଟିକକ ପାଇବା ପାଇଁ ହଇରାଣ ହେଉଛନ୍ତି ଏହି ମହିଳାମାନେ । ଏ ବିଷୟରେ ଆମ ପ୍ରତିନିଧି କାରନ୍ଦା ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଏମନେ କିଏ ଆମେ ଚିହ୍ନିନୁ କି ଜାଣିନୁ । ଏ ଦାୟିତ୍ୱ ତ ୱାର୍ଡମେମ୍ବରଙ୍କର । ଏବେ ପୁନଶ୍ଚ ଏ ବାବଦରେ ପଚାରିବା ପରେ ପଞ୍ଚାୟତରେ ଫର୍ମ ନଥିବା ଦର୍ଶାଇଛନ୍ତି ସେ । ଏପରି ଭିନ୍ନ ଭିନ୍ନ କାରଣ ଦେଖାଇ କେତେଦିନ ଆଉ ଅଣଦେଖା କରିବେ ।
ସରକାର ଯେତେବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ବିଧବା ମହିଳା ମାନଙ୍କ ସୁବିଧା ପାଇଁ ଏତେ ସବୁ ଯୋଜନାର ବ୍ୟବସ୍ଥା କରୁଛନ୍ତି । ସେତେବେଳେ ଏପରି ତଳ ସ୍ତରର କିଛି କର୍ମଚାରୀ ଆଉ ଜଣ ପ୍ରତିନିଧି ମାନଙ୍କର ଅବହେଳା ଏବଂ ଅଳସୁଆମୀ ଯୋଗୁଁ ତାହା ହିତାଧିକାରୀ ମାନଙ୍କ ଯାଏ ପହଞ୍ଚି ପାରୁନାହିଁ ।