ଆସନ୍ତା ରାଜ୍ୟସଭା ନିର୍ବାଚନ ଲାଗି ସରଗରମ ହେଲାଣି ରାଜ୍ୟ ରାଜନୀତି । ଖାଲି ହେଉଥିବା ୪ ଆସନ ଲାଗି ହେବ ନିର୍ବାଚନ । ଏହି ୪ ଆସନ ଲାଗି ବିଜେଡି ତରଫରୁ କିଏ ଯିବେ ରାଜ୍ୟସଭା ? ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଆସନ ୪ ଥିବାବେଳେ ଆଶାୟୀଙ୍କ ସଂଖ୍ୟା ହେଲାଣି ୪ ଗୁଣା । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନରେ ଦଳ ସନ୍ତୁଳନ ରଖିବାକୁ ଚେଷ୍ଟା କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
ରାଜ୍ୟସଭାର ୩ଟି ପୂର୍ଣ୍ଣକାଳୀନ ଆସନ ଖାଲି ହେଉଛି । କାରଣ ଜୁଲାଇ ପହିଲାରୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଅନ୍ୟପଟେ ସୁବାସ ସିଂ କଟକ ମେୟର ଦାୟିତ୍ବ ନେବା ପରେ ତାଙ୍କ ଆସନ ମଧ୍ୟ ଖାଲି ହୋଇଛି । ଏହି ଆସନ ପାଇଁ ଉପ ନିର୍ବାଚନ ହେବ । ୪ ଆସନ ଲାଗି ଆଶାୟୀଙ୍କ ସଂଖ୍ୟା ବେଶ ଲମ୍ବା ମଧ୍ୟ ରହିଛି। ଅତୀତରେ ପ୍ରାର୍ଥୀ ଚୟନରେ ରାଜନୈତିକ ବାର୍ତ୍ତା ଦେଉଥିବା ନବୀନ ଏଥର ଚୟନରେ କଣ ରଖିବେ ମାପଦଣ୍ଡ ? ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପ୍ରାର୍ଥୀ ଚୟନ ସମୟରେ ଚାପରେ ରହିବେ କି ବିଜେଡି ସୁପ୍ରିମୋ ? ଯୁବ, ମହିଳାଙ୍କୁ ଗୁରୁତ୍ବ ଦେବେ ନା ପ୍ରତିଶୃତି ପୂରା କରିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।
ମାତ୍ର ତିନି ବର୍ଷ ପାଇଁ ଏମପି ହୋଇଥିବା ସସ୍ମିତ ରାଜ୍ୟସଭାରେ ଓଡିଶାର ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଆସିଛନ୍ତି । ଦକ୍ଷତା ଓ ସଫଳତାର ସହ କାର୍ଯ୍ୟ କରିଥିବାରୁ ସସ୍ମିତଙ୍କୁ ଦଳ ଗୁରୁତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବାରୁ ସସ୍ମିତଙ୍କ ପାଇଁ ଦଳ ଉଦାର ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେଣୁ ତାଙ୍କୁ ଦଳ ରିପିଟ କରିବା ନେଇ ଆଲୋଚନା ବି ହେଉଛି । ଅନ୍ୟପଟେ ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କ ପ୍ରଦର୍ଶନ ମଧ୍ୟ ରାଜ୍ୟସଭାରେ ଉତ୍ସାହଜନକ ରହିଛି । ପଶ୍ଚିମ ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ରଙ୍କୁ ଦଳ ବାଛି ପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ପ୍ରସନ୍ନଙ୍କ ନିର୍ବିବାଦୀୟ ଛବି ଓ ପ୍ରଦର୍ଶନ ଆଧାରରେ ସେ ରିପିଟ ହେବା ନେଇ ଆକଳନ କରାଯାଉଛି ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଛାଡି ଶଙ୍ଖ ଫୁଙ୍କି ଥିବା ପ୍ରଦୀପ ମାଝୀଙ୍କୁ ମିଳିପାରେ ରାଜ୍ୟସଭା ଟିକେଟ । ଯୁବ ଓ ଦକ୍ଷ ସଂଗଠକ ଭାବେ ପ୍ରଦୀପଙ୍କ ପରିଚୟ ବେଶ୍ ଚର୍ଚ୍ଚାରେ । ତେଣୁ ପ୍ରଦୀପ ରାଜ୍ୟସଭା ଯିବା ଏକରକମ ନିଶ୍ଚିନ୍ତ ବୋଲି କୁହାଯାଉଛି । ରାଜ୍ୟ ଅପେକ୍ଷା ରାଷ୍ଟ୍ରୀୟ ରାଜନୀତିରେ ପ୍ରଦୀପ ଅଧିକ ରୁଚି ରଖନ୍ତି ବୋଲି ଚର୍ଚ୍ଚା ହୁଏ । ତେଣୁ ଦକ୍ଷିଣ ଓଡିଶା ରାଜନୀତି ପାଇଁ ପ୍ରଦୀପଙ୍କୁ ଦଳ ରାଜ୍ୟସଭା ପଠାଇପାରେ । କାରଣ ଏନ ଭାସ୍କର ରାଓ ଦକ୍ଷିଣରୁ ପ୍ରତିନିଧିତ୍ବ କରୁଛନ୍ତି । ଏହା ସହ ଦକ୍ଷିଣରୁ ମୁନ୍ନା ଖାଁ ମଧ୍ୟ ରହିଛନ୍ତି ।
ଟ୍ରାକକୁ ଫେରିବେ ପୂର୍ବତନ ସାଂସଦ ତଥାଗତ ଶତପଥୀ । ତଥାଗତଙ୍କୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ଜୋର ଧରିଛି । ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ କଟିବା ଆଶଙ୍କା କରି ଦୂରେଇ ଯାଇଥିଲେ ତଥାଗତ । ଦଳରୁ ଇସ୍ତଫା ଦେଇନଥିଲେ ବି କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହେଉନଥିଲେ । କିମ୍ବା ଦଳ ବିରୋଧୀ ମନ୍ତବ୍ୟ, ନିଜ ସମ୍ପାଦିତ ଖବରକାଗଜରେ ସରକାର ବିରୋଧୀ ଆଭିମୁଖ୍ୟରୁ ନିଜକୁ ଦୂରେଇ ରଖିଥିଲେ । ଅନ୍ୟପଟେ ବିଧାୟକ ଥାଇ ମଧ୍ୟ ନିଜ ଆର୍ଟିକିଲରେ ସରକାରଙ୍କୁ ଘାଇଲା କରୁଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ତଥାଗତଙ୍କ ଖବରକାଗଜ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ନବୀନ କିଛିଦିନ ତଳେ ପୁନର୍ବାର ଯୋଗ ଦେଇଥିଲେ । ତେଣୁ ପୁନର୍ବାର ତଥାଗତଙ୍କୁ ଦଳ ଗୁରୁତ୍ବ ଦେବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏହା ସହ ରାଜ୍ୟସଭା ଯିବା ଲାଗି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ନାଁ ମଧ୍ୟ ଚର୍ଚ୍ଚା ହେଉଛି |
ରାଜ୍ୟସଭାର ୪ ଟି ଆସନରେ କାହାକୁ ପ୍ରାର୍ଥୀ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ? ପୁରୁଖା ନେତା ଯେଉଁମାନଙ୍କୁ ନବୀନ ରାଜ୍ୟସଭା ଯିବାର ପ୍ରତିଶୃତି ଦେଇଥିଲେ ସେହି ପ୍ରତିଶୃତିକୁ ସେ ପୂରଣ କରିବେ କି ?? ରାଜ୍ୟସଭାରେ ଭଲ ପ୍ରଦର୍ଶନ କରିଥିବା ନେତାଙ୍କୁ ନବୀନ ରିପିଟ କରିବେ କି ?? ନା ନୂଆ ଚେହେରା ଦେଇ ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିବେ ନବୀନ!! ଯେଉଁମାନଙ୍କ ନାମ ପ୍ରତିଶୃତିକୁ ନେଇ ଚର୍ଚ୍ଚା ଭିତରକୁ ଆସୁଛି ସେମାନେ ହେଲେ ଭୁବନେଶ୍ଵରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ।
ଯାହା କେବେ ହୋଇନଥିଲା, ତାହା ଏବେ ହେଉଛି । ସଂଖ୍ୟା ନଥିବା ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲା ବିଜେଡି । ଏଥର ବି ସମାନ ଚିତ୍ରକୁ ଏଡାଇ ଦିଆଯାଇନପାରେ । ବିଜେଡି କୌଣସି ପ୍ରସଙ୍ଗରେ ବି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇବା ଭଳି କାର୍ଯ୍ୟ କରିନି । ଓଲଟା ସରକାରଙ୍କୁ ସହଯୋଗର ହାତ ବଢାଇଛି । ତେଣୁ ବିଜେପିର ଜାତୀୟ ନେତୃତ୍ବ ଓଡିଶାରେ ସେଭଳି ରାଜନୈତିକ ଗୋଟି ଚାଳନା ନକରି ବିଜେଡିଠୁ କିଭଳି ଅଧିକ ଫାଇଦା ନେବ ସେ ଚକରରେ ରହିଥିବା ଭଳି ଜଣାପଡୁଛି । ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନ ଜରୁରୀ । ତେଣୁ ଓଡିଶାରେ ବିଜେପି ବେଶ ମାପିଚୁପି ନିଜର ରାଜନୈତିକ ଗୋଟି ଚାଳନା କରୁଛି । ସମ୍ଭବତଃ ବିଜେପି ମଧ୍ୟ ୨୦୧୯ ମସିହା ଭଳି ବିଜେଡି ସହଯୋଗରେ ଓଡିଶାରୁ ଆଉ କାହାକୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।