ଅଧିକାଂଶ ଲୋକମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଫେସବୁକ୍, ଇନଷ୍ଟାଗ୍ରାମ, ଟ୍ୱିଟର ଏବଂ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହ୍ୱାଟସଆପ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥାଏ। ଏନେଇ ପ୍ରତି ମାସରେ କମ୍ପାନୀ ପକ୍ଷରୁ ତାଲିକା ଜାରି କରାଯାଇଥାଏ। ଏହି ତାଲିକା ଅନୁଯାୟୀ ଯେଉଁମାନେ ନିୟମ ଭଙ୍ଗ କରିଥାନ୍ତି ସେମାନଙ୍କ ହ୍ୱାଟସଆପ୍ ଆକାଉଣ୍ଟକୁ କମ୍ପାନୀ ବ୍ଲକ୍ କରିଦେଇଥାଏ। ଠିକ୍ ଏଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ହ୍ୱାଟସଆପ୍ ମାସିକ ଅନୁପାଳନ ରିପୋର୍ଟରେ ମାର୍ଚ୍ଚ ମାସରେ ଭାରତରେ ୪୭ଲକ୍ଷ ରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଏନେଇ ଗତକାଲି କମ୍ପାନୀ ଏହି ସୂଚନା ଜାରି କରିଛି।
ରିପୋର୍ଟ ଅନୁଯାୟୀ କମ୍ପାନୀ ୧ ରୁ ୩୧ ମାର୍ଚ୍ଚ ମଧ୍ୟରେ ୪୭,୧୫,୯୦୬ ହ୍ୱାଟ୍ସଆପ୍ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ୟୁଜର୍ସଙ୍କ ସୁରକ୍ଷା ରିପୋର୍ଟ ଏବଂ ଅଭିଯୋଗ ରିପୋର୍ଟ ଆଧାରରେ ଏପରି ପଦକ୍ଷେପ ନିଆଯାଇଥିବା କମ୍ପାନୀ ତରଫରୁ କୁହାଯାଇଛି।
ଆହୁରି ମଧ୍ୟ, କମ୍ପାନୀ ଉଲ୍ଲେଖ କରିଛି ଯେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଅଭିଯୋଗ ଆପିଲ୍ କମିଟିରୁ ମିଳିଥିବା ନିର୍ଦ୍ଦେଶଗୁଡ଼ିକ ୩ ଏବଂ ପାଳନ କରାଯାଇଥିବା ନିର୍ଦ୍ଦେଶଗୁଡ଼ିକ ମଧ୍ୟ ୩ ଥିଲା। ଏହି ସମୟରେ ଲକ୍ଷ ଲକ୍ଷ ଭାରତୀୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ବୈଦୁ୍ୟତିକ ମନ୍ତ୍ରୀ ଏବଂ ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଭିଯୋଗ ଆବେଦନ କମିଟି (ଜିଏସ) ଆରମ୍ଭ କରିଥିଲେ। ଯାହା ବିଷୟବସ୍ତୁ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେମାନଙ୍କ ଚିନ୍ତାଧାରା ଉପରେ ଧ୍ୟାନ ଦେବ।