ଉନ୍ନୟନ କମିସନର ତଥା ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ବିଏସ୍ସିଏଲ୍ ବୋର୍ଡ ଅଫ୍ ଡାଇରେକ୍ଟର ବୈଠକ ବସିଥିଲା। ଏଥିରେ ‘ମୋ ସାଇକେଲ୍’ ସମେତ ସ୍ମାର୍ଟ ସିଟିର ଅନ୍ୟ ସମସ୍ତ ପ୍ରକଳ୍ପ କିଭଳି ଲୋକାଭିମୁଖୀ ହୋଇ ପାରିବ ସେ ନେଇ ମାନସମନ୍ଥନ ହୋଇଥିଲା। ବିଶେଷ କରି ‘ମୋ ସାଇକେଲ୍’ କିଭଳି ଆଉ ଥରେ ଟ୍ରାକ୍କୁ ଫେରିବ ସେ ନେଇ ଯୋଜନା ହୋଇଛି। ଲୋକମାନେ କିଭଳି ଏହାକୁ ଅଧିକରୁ ଅଧିକ ବ୍ୟବହାର କରିବେ ସେ ନେଇ ରୂପରେଖ ପ୍ରସ୍ତୁତ ହେବ। ତା’ ସହିତ ଏମ୍ଏଲ୍ସିପି(ବହୁତଳ କାର୍ ପାର୍କିଂ) ଆଶାନୁରୂପ ବ୍ୟବହାର ହେଉ ନାହିଁ। ଠିକା ସଂସ୍ଥା ଛାଡ଼ି ଚାଲି ଯାଇଛି। ଏହା କିଭଳି ଅଧିକରୁ ଅଧିକ ବ୍ୟବହର ହେବ ସେ ନେଇ ୭ ଦିନ ଭିତରେ ବିଏସ୍ସିଏଲ୍ କାର୍ଯ୍ୟପନ୍ଥା ସ୍ଥିର କରିବ। ସେହିଭଳି ଆଇପିଏସ୍ସି କୋଠାରେ ଥିବା ‘ମୋ ସେବା କେନ୍ଦ୍ର’ରେ ମିଳୁଥିବା ସେବା ଓ ଏହା କିଭଳି ଚାଲିଛି ଏହାର ମଧ୍ୟ ସମୀକ୍ଷା ହୋଇଥିଲା। ଏହା ବାଦ୍ ଯେତେ ସବୁ ପ୍ରକଳ୍ପ ରହିଛି ତାହା କିଭଳି ଶତପ୍ରତିଶତ ବ୍ୟବହାର ଯୋଗ୍ୟ ହୋଇ ପାରିବ ବା ସାଧାରଣ ଲୋକ ତାହାର ଶତ ପ୍ରତିଶତ ଲାଭ ନେବେ, ସେ ନେଇ ବିଏସ୍ସିଏଲ୍ ରୂପରେଖ ପ୍ରସ୍ତୁତ କରି ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବ। ଯେତେ ସବୁ ପ୍ରକଳ୍ପ ଅଧାପପନ୍ତରିଆ ରହିଛି ସେ ସବୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଡିଏ ଉପାଧ୍ୟକ୍ଷ ବଲ୍ୱନ୍ତ ସିଂ, ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ଏଠାରେ ସୂଚାଇ ଦିଆଯାଇପାରେ, ସ୍ମାର୍ଟ ସିଟି ଲିମିଟେଡ୍ ଯେଉଁ ସବୁ ପ୍ରକଳ୍ପ କରିଛି ସେଥିମଧ୍ୟରୁ ମୋ ସାଇକେଲ୍ ଓ ସ୍ମାର୍ଟ କିଓସ୍କ ଫେଲ୍ ମାରିଛି। ମୋ ସାଇକେଲ୍ କିଣିବାରେ ୫ କୋଟି ଖର୍ଚ୍ଚ କରିଥିଲେ। ରକ୍ଷଣାବେକ୍ଷଣରେ କୋଟି କୋଟି ଖର୍ଚ୍ଚ କଲେ। ହେଲେ ଏହା କାମରେ ଲାଗିଲା ନାହିଁ। ଠିକା ସଂସ୍ଥା ଏହାକୁ କବାଡ଼ିଆଙ୍କୁ ବିକିଦେଲା। ରାସ୍ତା କଡ଼ରେ ପଡ଼ି ପଡ଼ି କେତେକ ଖତ ଖାଇଲା। ଗତ ମାର୍ଚ୍ଚ ମାସରେ ବସିଥିବା ବୋର୍ଡ ଅଫ୍ ଡାଇରେକ୍ଟର ବୈଠକରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ସହ ଏସ୍ଓପି ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ହୋଇ ପାରିଲା ନାହିଁ। ଯେଉଁଥିପାଇଁ ତନାଘନା ହେବା ସହ ପୁଣି ଥରେ ଆଜି ଏସ୍ଓପି ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ସେହିଭଳି ୫୦୦କୋଟିର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ଅଧୀନରେ ଇନ୍ଡୋର୍ରେ ୫୦ ଓ ଆଉଟ୍ଡୋର୍ ୨୫ ଏଭଳି ୬୨ଟି ସ୍ମାର୍ଟ କିଓସ୍କ ସ୍ଥାପନ କଲେ। ‘କଣ୍ଟାକ୍ଟଲେସ୍’ ବ୍ୟବସ୍ଥାକୁ ବଢ଼ାଇବା ପାଇଁ ସ୍ଥାପନ ହୋଇଥିବା କିଓସ୍କ କାମରେ ଲାଗିଲା ନାହିଁ। ଏହାକୁ କିଭଳି କାମରେ ଲଗା ହେବ ସେ ନେଇ ଅଧିକାରୀ ଉଦ୍ୟମ କଲେ ନାହିଁ। ଫଳରେ ଏ ସବୁ ଏବେ ନଷ୍ଟ ହୋଇଯାଇଛି।