ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେବ । ୨୪ ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହେବ । ବାତ୍ୟା ‘ଜଓ୍ବାଦ’ ମାଡ଼ି ଆସିବ ସ୍ଥଳଭାଗ ଆଡକୁ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହୋଇଯିବ ବର୍ଷା । ୪ତାରିଖରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ ଜଓ୍ବାଦ। କିନ୍ତୁ କେଉଁଠି ସ୍ଥଳଭାଗ ଛୁଇଁବା ଏଯାଏ ସ୍ପଷ୍ଟ ହୋଇନି । ଶେଷ ମୂହୁର୍ତରେ ବାତ୍ୟା ଜୱାଦ ଗତିପଥ ପରିବର୍ତନ କରିପାରେ ବୋଲି ମଧ୍ୟ ଅନୁମାନ କରିଛନ୍ତି ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ । ତେବେ ଉତ୍ତର ଆନ୍ଧ୍ର-ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଅଧିକ ରହିଛି । ବାତ୍ୟା ପ୍ରଭାବରେ ଆସନ୍ତାକାଲିଠୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବାର ସମ୍ଭାବନା ରହିଛି । ଶନିବାର ଘଣ୍ଟାପ୍ରତି 80 ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ବୋଲି ଅନୁମାନ କରାଯାଉଛି । ବାତ୍ୟା ନେଇ ସତର୍କତା ଜାରି କରିଛନ୍ତି ଏସଆରସି । ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ୭ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ତାରିଖ ଓ ୫ ତାରିଖ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟା ଜଓ୍ବାଦର ତୀବ୍ରତା ଗୁଲାବଠାରୁ ଅଧିକ ଏବଂ ଫନିଠାରୁ କମ୍ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି । ପାଣିପାଗ କେନ୍ଦ୍ର ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବାତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଇଏମଡି ଡିଜି ଓ ଏନଡିଆରଏଫଡ ଡିଜିଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେ ପରାମର୍ଶ ଦେଇଛନ୍ତି ।