ଏବେ ରାଜ୍ୟ ରାଜନୀତିରେ ବଡ଼ ହଇଚଇ । ବିଜେଡ଼ିରେ ଯୋଗ ଦେଲେ ଭିକେ ପାଣ୍ଡିଆନ। ନବୀନ ନିବାସରେ ବିଜେଡ଼ିରେ ଯୋଗ ଦେବା ନେଇ ମିଳିଛି ସୂଚନା । ଦଳର ପ୍ରାଥମିକ ସଦସ୍ୟ ଭାବେ ଦେଲେ ଯୋଗ । ଆଉ ଦଳର କୌଣସି ପଦପଦବୀରେ ରହିବେନି ପାଣ୍ଡିଆନ । ଏ ଖବର କୁ ନେଇ ନବୀନ ନିବାସରେ ହେଲା ବଡ଼ ଘୋଷଣା ।
ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହେବା ପରେ ଶଙ୍ଖ ଭବନ ଅଭିମୁଖେ ଗସ୍ତ କରିଛନ୍ତି ଭିକେ ପାଣ୍ଡିଆନ । ଏହି ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେବେ । ଗଞ୍ଜାମ ଯାଇ ମା ତାରାତାରିଣୀଙ୍କର ଦର୍ଶନ କରିବାର ମଧ୍ୟ ଯୋଜନା ରହିଛି । ସନ୍ଧ୍ୟାରେ ପାଣ୍ଡିଆନ ଭୁବନେଶ୍ବରରେ ପହଞ୍ଚିବେ ବୋଲି ମିଳିଛି ସୂଚନା ।
ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସମୀର ଦାସ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଜଣକ ପରେ ଜଣେ ନେତା ପହଞ୍ଚିଥିଲେ ନବୀନ ନିବାସରେ।
ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପ୍ରକଳ୍ପ ନିର୍ମାଣ ଅଞ୍ଚଳ ବୁଲି ଦେଖିବା ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରି ସମୀକ୍ଷା କରିଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଓ ରାସ୍ତା ନିର୍ମାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ । ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମେତ ପୁରୀ ଏସପି ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ । ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ୨୩ ଅକ୍ଟୋବର ୨୦୨୩ରେ ଶ୍ରୀ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମି ମନ୍ତ୍ରାଳୟ ମଞ୍ଜୁର କରିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ 5-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭାବେ ପାଣ୍ଡିଆନଙ୍କୁ ନିଯୁକ୍ତ କରିଥିଲେ।