ନୂଆଦିଲ୍ଲୀ,୦୭.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଲଗାତାର ଭାବେ କରୋନା ସଂକ୍ରମଣ ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି । ଆଜି ଭର୍ଚୁଆଲ ମୋଡରେ ଏହି ବୈଠକ ହେବ । ଏଥିରେ କୋଭିଡ ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀ ବି ସାମିଲ ହେବେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୩୩୫ ନୂଆ ମାମଲା ଚିହ୍ନଟ ହୋଇଛି । ୧୯୫ ଦିନ ପରେ ଏହା ହେଉଛି ସର୍ବାଧିକ ମାମଲା । ଗତବର୍ଷ ସେପ୍ଟେମ୍ବର ୨୩ରେ ୫ ହଜାର ୩୮୩ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଦେଶରେ ଆକ୍ଟିଭ ମାମଲା ୨୫ ହଜାର ୫୮୭ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆକଳନ ଅନୁସାରେ, ବୁଧବାରର ମାମଲା ଅପେକ୍ଷା ଏହା ୨୦ ପ୍ରତିଶତ ଅଧିକ ।
ଗତ ମାସରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜେନମ ସ୍ୱିକେନ୍ସ ବଢାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ହସ୍ପିଟାଲ କର୍ମଚାରୀ ଓ ବରିଷ୍ଠ ନାଗରିକଙ୍କୁ ମାସ୍କ ପିନ୍ଧିବାକୁ ବି କୁହାଯାଇଥିଲା ।