ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ | ବିଭିର୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳିଛି | ଗତକାଲି ରାତିରେ କିଛି ଦୁର୍ବୃତ୍ତ ଜଣେ କଂଗ୍ରେସ ନେତାଙ୍କ ଘରେ ପଶି 2ଟି ଗାଡ଼ିରେ ନିଆଁ ଲଗାଇ ଜାଳି ଦେଇଛନ୍ତି | ତେବେ ରାଜନୈତିକ ବିବାଦ କାରଣରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି | ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କୋଡ଼ିଙ୍ଗା ଥାନା ଅଂଚଳରୁ |
କୋଡ଼ିଙ୍ଗା ଥାନା ଅଧିନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ.ଝାଡେଶ୍ୱର ରାଓ ତାଙ୍କ ଘର ପାଚେରୀ ଭିତରେ ଏକ କାର ଓ ମଟର ସାଇକଲ ଥିଲା । ବିଳମ୍ବିତ ରାତି ସାଢ଼େ ଗୋଟାଏ ବେଳେ କେତେଜଣ ଦୁର୍ବୁତ୍ତ କାର ଓ ମଟର ସାଇକଲରେ ନିଆଁ ଲଗାଇ ଜାଳି ଦେଇଛନ୍ତି । ଝାଡେଶ୍ୱରଙ୍କ ଅଭିଯୋଗ କ୍ରମେ ଖବରପାଇ କୋଡ଼ିଙ୍ଗା ପୋଲିସ, ପାପଡାହାଣ୍ଡି ଏସଡିପିଓ ଏବଂ ଏସପି ପିଏସ ପୁରୁଷୋତ୍ତମ ଦାସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛନ୍ତି | ଏହି ଘଟଣାରେ ଯୁଧିଷ୍ଠିର ଗୌଡ ନାମକ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛନ୍ତି । ଝାଡେଶ୍ୱରଙ୍କ କହିବା ଅନୁଯାୟୀ ଯୁଧିଷ୍ଠିରଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ରହିଥିଲା । ଝାଡେଶ୍ୱର କଂଗ୍ରେସ ସମର୍ଥକ ସରପଞ୍ଚ ପ୍ରାର୍ଥୀ ଦେବକୀ ଭାତରାଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଯୁଧିଷ୍ଠିର ଅନ୍ୟ ଏକ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ବୁଲୁଥିଲେ । ତେଣୁ ଯୁଧିଷ୍ଠିର ଏଭଳି କାଣ୍ଡ କରିଥିବା ଝାଡେଶ୍ୱର ଅଭିଯୋଗ କରିଛନ୍ତି | ଅନ୍ୟପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି ଝାଡେଶ୍ୱର ନିଜେ ନିଆଁ ଲଗାଇ ଗାଡି ଜାଳି ଦେବା ସହ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛନ୍ତି ବୋଲି ଯୁଧିଷ୍ଠିର କହିଛନ୍ତି ।