ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ କଥା ବୁଝିଲେ ଜିଲ୍ଲାପାଳ । ଏହି ଅବସରରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଫୁଲ ଚନ୍ଦନ ଲଗାଇ ବନ୍ଦାପନ କରି ଗ୍ରାମକୁ ସ୍ୱାଗତ କରିଥିଲେ । ବାଜା ଓ ଘଣ୍ଟ ବଜାଇ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଗ୍ରାମକୁ ପାଛୋଟି ଆଣିଥିଲେ ଗାଁ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଢେ଼ଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକରେ । ବ୍ଲକ୍ ର କାନ୍ତୁଲ ପଂଚାୟତର କୋଟ, ସେକୁଲ, ଏକୁଲ ଓ ପୁଟିପାଳ ଗାଁକୁ ଆଜି ଜିଲାପାଳ ସରୋଜ କୁମାର ସେଠୀ ଯାଇ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଏଥିସହ ଲୋକମାନେ କିପରି ନିଜ ହାତ ପାହାନ୍ତାରେ ସରକାରୀ ସୁବିଧା ପାଇପାରିବେ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ । ଜିଲାପାଳ ସରୋଜ କୁମାର ପ୍ରଥମେ କୋଟଗାଁକୁ ଯାଇ କଙ୍କଡାହାଡ଼ ତହସିଲଦାର ରମେଶ ଜେନାଙ୍କ ସଭାପତିତ୍ବରେ ହିତାଧିକାରୀଙ୍କୁ ଜମି ପଟା ବଣ୍ଟନ କରିଥିଲେ । ପରେ ସେକୁଲ ଗାଁର ଲୋକଙ୍କ କଥା ଜିଲାପାଳ ବୁଝିବା ପରେ ଏକୁଲ ଗାଁରେ ପହଁଞ୍ଚି ଥିଲେ ।ସେଠାରେ ଲୋକଙ୍କ ବିଭିନ୍ନ ସମସ୍ୟା ବିଷୟରେ ବୁଝିବା ସହିତ ଏକ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ଅନେକ ଅସୁବିଧା ହେଉଥିବା ଯୋଗୁ ବିଏସଏନଏଲ ତରଫରୁ ଏଠାରେ ନେଟୱାର୍କ ବ୍ୟବସ୍ଥା କରାଯିବ ବୋଲି କହିଲେ ।ପରେ ପରେ ଏକୁଲ ବିଦ୍ୟାଳୟଠାରେ ଚାଲୁଥିବା ମେଲେରିଆ ଦମନ କାର୍ଯ୍ୟକ୍ରମ ଦେଖିବା ପରେ ବିଦ୍ୟାଳୟରେ କିପରି ପାଠପଢା ଚାଲିଛି ସେ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ପୁଟିପାଳ ଅଭିମୁଖେ ଯାଇ ସେଠାରେ ଲୋକଙ୍କ ସମସ୍ୟା ବୁଝିଲେ, ଆଗକୁ ଲୋକଙ୍କ ପାଖରେ ପ୍ରଶାସନ ପହଂଚି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲାପାଳଙ୍କ ସହ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲା ବନଖଂଡ ଅଧିକାରୀ ପ୍ରକାଶ ଚାନ୍ଦ ଗୁଗୁନେନି, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ସଂକର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଣି ସୁଜାତା ରାଣୀ ମିଶ୍ର ,କଙ୍କଡାହାଡ଼ ତହସିଲଦାର ରମେଶ ଜେନା, କଙ୍କଡାହାଡ଼ ବିଡ଼ିଓ ବୁଲବୁଲ ବେହେରା, ଜିଲା ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ, କଙ୍କଡାହାଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ,ବ୍ଲକ ଯୋଗାଣ ଅଧିକାରୀ ସୁନିତା ବେହେରା,ରେଞ୍ଜର ସତ୍ୟ ନାରାୟଣ ସାହୁ,ଯନ୍ତ୍ରୀ କୃଷ୍ଣଚନ୍ଦ୍ର ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।