ବର୍ଷେ କି ୨ ବର୍ଷ ନୁହଁ ୨୧ବର୍ଷ ଧରି ଗୋଟିଏ ପରିବାରକୁ ଗାଁରୁ ଏକଘରକିଆ କରି ରଖାଯାଇଛି | ସେବେଠାରୁ ଉକ୍ତ ପରିବାରକୁ ଗ୍ରାମବାସୀ ହଇରାଣ ହରକତ କରିଆସୁଛନ୍ତି। ପରିବାର ଲୋକେ ଥାନା, କୋର୍ଟ କଚେରୀରେ ଏକାଧିକବାର ଅଭିଯୋଗ କଲେ ମଧ୍ୟ ନ୍ୟାୟ ମିଳୁନି | କଂଗ୍ରେସ ସମର୍ଥକ ହୋଇଥିବାରୁ ତାଙ୍କ ଉପରେ ଏମିତି ଜୁଲମ ଚାଲିଛି ବୋଲି କହିଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତଅଁରା ବନ୍ଧମୁଣ୍ଡି ଗ୍ରାମରେ। ତଅଁରା ଗ୍ରାମର ଦେବେନ୍ଦ୍ର ରାଉତ ଇବ୍ରିସିଂ ଗ୍ରାମପଞ୍ଚାୟତ ବନ୍ଧମୁଣ୍ଡି ଗ୍ରାମକୁ ଲାଗି ନିଜ ଜମିରେ ଘର କରି ସପରିବାରେ ରହି ଆସୁଛନ୍ତି।ବନ୍ଧମୁଣ୍ଡି ଗ୍ରାମର ନିରଞ୍ଜନ ବିଶ୍ୱାଳ ଦେବେନ୍ଦ୍ରଙ୍କ ଜମିରୁ ଗତ ଦୁଇଦିନ ତଳେ ଜୋରଜବରଦସ୍ତ ଧାନ କାଟି ନେଇଥିଲେ। ଏ ସମ୍ପର୍କରେ ଦେବେନ୍ଦ୍ର ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେବା କାରଣରୁ ନିରଞ୍ଜନ ଗ୍ରାମର କେତେକ ମହିଳାଙ୍କୁ ଉସୁକାଇ ଦେବେନ୍ଦ୍ରଙ୍କ ପରିବାର ବନ୍ଧମୁଣ୍ଡି ଗ୍ରାମବାସୀଙ୍କୁ ଗାଳିଗୁଲଜ କରି ଅପମାନିତ କରୁଛନ୍ତି ବୋଲି କହିଥିଲେ। ଏହାକୁ ନେଇ ବନ୍ଧମୁଣ୍ଡି ଗ୍ରାମର କେତେକ ଲୋକ ଓ ମହିଳା ଦେବେନ୍ଦ୍ରଙ୍କ ଘର ଉପରେ ସଙ୍ଘବଧ ଆକ୍ରମଣ କରିଥିଲେ । ଦେବେନ୍ଦ୍ରଙ୍କ ବାଡ, ଗଛ ହାଣି ଦେବା ସହ ଘର କବାଟ ଭାଙ୍ଗି ଘରେ ପଶି ଭଙ୍ଗାରୁଜା କରିଥିଲେ। ଘରଭିତରେ ଟିଭି ଠାରୁ ଆରମ୍ଭ କରି ସମସ୍ତ ଆସବାବପତ୍ର ଭାଙ୍ଗିବା ସହ ଘରେ ଏକାକୀ ଥିବା ଦେବେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ମରଣାନ୍ତକ ଆକ୍ରମଣ କରି ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଜୀବନ ଭୟରେ ଦେବେନ୍ଦ୍ରଙ୍କ ସ୍ତ୍ରୀ ଓ ଦୁଇପୁଅ ତିର୍ତ୍ତୋଲ ଥାନାରେ ସକାଳଠାରୁ ବସି ରହିଛନ୍ତି। ତିର୍ତ୍ତୋଲ ପୋଲିସ ଘଟଣାର ଅନୁସନ୍ଧାନ କରିଛନ୍ତି। ସୂଚନା ଥାଉକି , ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଶାସକ ଦଳ ସମର୍ଥନରେ ସରପଞ୍ଚ ହେବାକୁ ଅଣ୍ଟା ଭିଡିଥିବା ଛାମୁଁଆ ନେତାଙ୍କ ଇଙ୍ଗିତରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଦେବେନ୍ଦ୍ରଙ୍କ ପରିବାର ଲୋକେ ଗ୍ରାମବାସୀଙ୍କୁ ଗାଳିଗୁଲଜ କରୁଥିବାରୁ ସେମାନେ ଆକ୍ରମଣ କରିଥିବା କହିଛନ୍ତି ।