ପୋଲ ବନ୍ଦ କଲେ ଗ୍ରାମବାସୀ | ଦେବୀ ନଦୀ ପୋଲ ଉପରେ ବାଉଁଶ ବାଡ଼ ପକାଇଲେ ଆଳିପିଙ୍ଗଳ ଗ୍ରାମବାସୀ | ଜଗତସିଂହପୁରରୁ ଆସୁଥିବା ଯାନବାହାନକୁ ଛାଡିଲେ ନାହିଁ | ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ପଞ୍ଚାୟତ ଆଳିପିଙ୍ଗଳ ଗ୍ରାମସ୍ଥିତ ଦେବୀ ନଦୀ ପୋଲ ଉପରେ ନିର୍ମାଣ ହୋଇଥିବା ଲୁହା ଗେଟ ଉଛେଦ ଦାବିରେ ଆଜି ଧାରଣା ଦେଇଛନ୍ତି ଆଳିପିଙ୍ଗଳ ଗ୍ରାମବାସୀ |
ସୂଚନା ଅନୁଯାୟୀ, ଦେଵୀ ନଦୀ ପୋଲ ଯୋଗୁ ଜଗତସିଂହପୁର ଜିଲ୍ଲା ଶହ ପ୍ରାୟ ୩ ଜିଲ୍ଲା ପୁରୀ, ଭୁବନେଶ୍ୱର, କଟକ ସଂଯୁକ୍ତ ହୋଇଛି | କିନ୍ତୁ ଜଗତସିଂହପୁର ଆଳିପିଙ୍ଗ ସ୍ଥିତ ପୋଲ ପ୍ରବେଶ ଦ୍ୱାରରେ ଏକ ଲୁହା ଗେଟ ନିର୍ମାଣ ହୋଇଛି | ତେବେ ଏହି ଲୁହା ଗେଟ ଯୋଗୁ ବଡ ଯାନବାହାନ ଚଳାଚଳ କରିପାରୁନାହିଁ | ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ପୋଲ ଦେଇ ବସ, ଅତ୍ୟାବସିକ ସାମଗ୍ରୀ ଆଣୁଥିବା ଟ୍ରକ ଆଗରୁ ଯାତାୟାତ କରୁଥିଲା | କିନ୍ତୁ ଲୌହ ଗେଟ ନିର୍ମାଣ ପରେ ଏ ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି | ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଯଦି ବଡ ଗାଡି ଯିବନି ଛୋଟ ଯାନବାହାନ କାହିଁକି ଚଳାଚଳ କରିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ | ତେଣୁ ବାଧ୍ୟ ହୋଇ ଏହି ପୋଲକୁ ଅବରୋଧ କରିବାକୁ ପଡିଛି ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ | ଜଗତସିଂପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ଲୁହା ଗେଟ ଉଛେଦ କରାଯାଉ ଏବଂ ବଡ଼ ଯାନବାହାନ ଯାତାୟାତ ପାଇଁ ନିର୍ଦେଶ ଦିଆଯାଉ ବୋଲି ଦାବି କରିଛନ୍ତି | ଯଦି ଆଗକୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଏହି ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ | ଏହି ବାବଦରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |