ଆମେ କହୁ ପୁଅ ଝିଅ ସମାନ | କିନ୍ତୁ ବାସ୍ତବ କ୍ଷେତ୍ରରେ ସମାଜରେ ବହୁତ କମ ଜାଗାରେ ଏହା ଦେଖିବାକୁ ମିଳେ | ଏବେ ବି ଲୋକ ମାନନ୍ତି ଝିଅ ଜନମ ପର ଘରକୁ | ଝିଅଟିଏ ଯେତେ ଉଚଶିକ୍ଷିତ ହୋଇଥିଲେ ମଧ୍ୟ ଦିନେ ନା ଦିନେ ବିବାହ କରି ଶାଶୂ ଘରକୁ ଯିବା ନିଶ୍ଚିତ | କିନ୍ତୁ ଏମିତି ଗୋଟେ ଗାଁ ଅଛି ସେଠାରେ ପୁଅ ଝିଅଙ୍କୁ ମିଳେ ସମାନ ଅଧିକାର | ପୁଅ ଯେମିତି ବିବାହ କରି ନିଜ ପତ୍ନୀକୁ ଘରକୁ ଆଣେ, ଝିଅଟି ମଧ୍ୟ ବିବାହ କଲେ ତାର ସ୍ୱାମୀଙ୍କୁ ନିଜ ଘରକୁ ଆଣେ | ସ୍ୱାମୀ ଘରଜ୍ୱାଇଁ ହୋଇ ପତ୍ନୀଙ୍କ ସହ ରୁହନ୍ତି | ତେଣୁ ଏହି ଗାଁକୁ ଜ୍ୱାଇଁ ମାନଙ୍କ ଗାଁ ବୋଲି ମଧ୍ୟ କୁହାଯାଏ | ଏହାକୁ ପରମ୍ପରା କୁହନ୍ତୁ .. କିମ୍ବା ନାରୀମାନଙ୍କର ଶକ୍ତି | ଏହା ହେଲା ଗାଜିଆଵାଦର କୌଶମ୍ବୀ କରାରିନଗରର ପୁରଭା ଗ୍ରାମ |
ଏଠାରେ ମହିଳାମାନଙ୍କ ପ୍ରତି ଥିବା ସମସ୍ତ ସାମାଜିକ ପ୍ରତିବନ୍ଧକୁ ଭାଙ୍ଗି ଦିଆଯାଇଛି | ବିବାହ ପରେ, ସ୍ୱାମୀମାନେ ଆସି ଏଠାରେ ବସବାସ କରିବାର ରହିଛି ପରମ୍ପରା | ଏବେ ଏଠାରେ ରହୁଛନ୍ତି ପ୍ରାୟ 400 ପରିବାର | ଏହି ଗାଁରେ ରହୁଥିବା ପୁରୁଷମାନଙ୍କ ସହିତ ଗାଁର ମହିଳାମାନେ ମଧ୍ୟ ପରିବାର ଚଳାଇବାରେ ସ୍ୱାମୀଙ୍କୁ ସାହାଯ୍ୟ କରନ୍ତି | ଗାଁର ବିଶେଷତ୍ୱ ହେଉଛି ଝିଅମାନଙ୍କୁ ପୁଅମାନଙ୍କ ସହିତ ସମାନ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଏ | ଏହି ଗାଁରେ ଝିଅମାନେ ସବୁ କାମ କରନ୍ତି ଯାହା ପୁଅମାନେ କରିପାରିବେ | ଝିଅମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ନଥାଏ | ଗାଁର ଜଣେ ବୟସ୍କଙ୍କ କହିବା ଅନୁଯାୟୀ ମହିଳା ଏବଂ ପୁରୁଷ ଏକାଠି କାମ କରନ୍ତି, ତେଣୁ ଘରୋଇ ବିବାଦ ମଧ୍ୟ କମ୍ ଥାଏ। ଯେଉଁମାନେ ବାହାରୁ ଆସନ୍ତି, ଗାଁଲୋକେ ସେମାନଙ୍କୁ ଘରର ଜ୍ବାଇଁ ଭଳି ସମ୍ମାନ କରନ୍ତି | ସେଥିପାଇଁ ଲୋକମାନେ ମଧ୍ୟ ଆସି ଏଠାରେ ରହିବାକୁ ପସନ୍ଦ କରୁଛନ୍ତି |