୫ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ କିରାଣି | ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଟ୍ରେଜେରୀର ବରିଷ୍ଠ କିରାଣି ସମରାଏ ହେମ୍ରମ | ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ପେନସନ କରାଇ ଦେବା ପାଇଁ ସେ ତାଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି | ଭିଜିଲାନ୍ସ ଟିମ ତାଙ୍କ ନିକଟରୁ ରସାୟନ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରିଛି | ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ | ଏହାପରେ କଟକ ଭିଜିଲାନ୍ସ ପକ୍ଷରୁ ସମରାଏ ହେମ୍ରମଙ୍କ ମାଧପୁର ସ୍ଥିତ ଭଡା ଘରେ ଚଢ଼ାଉ କରାଯାଇଛି |
ସୂଚନା ଯୋଗ୍ୟ ଯେ, ତୁଳସୀ ପଟ୍ଟନାୟକ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ପେନସନ କରାଇ ଦେବା ପାଇଁ ଜିଲ୍ଲା ଟ୍ରେଜେରୀର ବରିଷ୍ଠ କିରାଣି ସମରାଏ ହେମ୍ରମ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ତୁଳସୀଙ୍କ ସ୍ୱାମୀ ଭଞ୍ଜ କୁମାର ନାୟକ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତାଙ୍କୁ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ଟିମ ସମରାଏ ହେମ୍ରମଙ୍କୁ କାବୁ କରିଥିଲା |