ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଏବେ ଖରାଦିନ । ପାଣିପାଗ ବିଭାଗ କହିଛି ଏଥର ପ୍ରଚଣ୍ଡ ରୌଦ୍ରତାପରେ ସିଝିବ ସାରା ଓଡ଼ିଶା । ଏଭଳି କ୍ଷେତ୍ରରେ ବିଶେଷ କରି ଶିଶୁ ଓ ବୟସ୍କ ଲୋକଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଖରାଦିନରେ ଶୁଷ୍କତାକୁ ଏଡ଼ାଇବା ପାଇଁ ସାଧାରଣତଃ ତରଭୂତ, କାକୁଡ଼ି, ଲେମ୍ବୁପାଣି, ଆଖୁରସ ଇତ୍ୟାଦି ଲୋକମାନେ ସେବନ କରନ୍ତି । କାକୁଡ଼ିକୁ ଅନେକେ ସାଲାଡ୍ କରି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଜାଣନ୍ତିକି କାକୁଡିକୁ ଗ୍ରାଇଣ୍ଡିଂ କରି ପିଇଲେ ଶରୀରକୁ ଚମତ୍କାର ଫାଇଦା ମିଳିଥାଏ ।
କୁହାଯାଏ ଖରାଦିନେ ନିୟମିତ ବ୍ୟବଧାନରେ କାକୁଡି ଜୁସ୍ ପିଇଲେ ମନ, ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏପରିକି ଓଜନ କମାଇବା ପାଇଁ ଇଛୁକ ଥିବା ବ୍ୟକ୍ତି ଚାହିଁଲେ ନିଜ ଡାଏଟ୍ ଚାର୍ଟରେ କାକୁଡି ଜୁସକୁ ସାମିଲ କରିପାରିବେ । କାରଣ ଏହା ଶୀଘ୍ର ଓଜନ କମାଇବାରେ ସହାୟକ ହୋଇଥାଏ । ଅନ୍ୟପକ୍ଷେ ଏହି ଜୁସ୍ରେ ପ୍ରଚୁର ମାତ୍ରାରେ ଭିଟାମିନ୍ ବି, ସି, କେ, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ରହୁଥିବାରୁ ଚେହେରାକୁ ଉଜ୍ଜ୍ୱଳତା ପ୍ରଦାନ କରିବା ସହ ଶରୀରକୁ ହାଇଡ୍ରେଟ୍ ରଖିବାରେ ବି ଏହା ବେଶ୍ ସାହାଯ୍ୟ କରିଥାଏ । କ୍ୟାନସର ସହ ଲଢ଼ିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ଅସ୍ଥିଗୁଡ଼ିକୁ ମଜଭୁତ କରିବା, ପାଚନ କ୍ରିୟାକୁ ସକ୍ରିୟ କରିବା ତଥା ମୁଖର ଦୁର୍ଗନ୍ଧକୁ ଦୂର କରିବାରେ ବି କାକୁଡି ଜୁସ୍ ବହୁତ ଉପକାରୀ ହୋଇଥାଏ ।