ଭୁବନେଶ୍ୱର(ଏନଏନଏସ୍): ପୁରୀ ରେଳ ଷ୍ଟେସନରେ ଆୟୋଜିତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଲୋକର୍ପିତ କରିବା ସହ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଡ଼ିଶାରେ ରେଳର ବିଭିନ୍ନ ବିକାଶମୂଳକ କାର୍ୟ୍ୟ ତ୍ବରାନ୍ବିତ ହେଉଥିବା ଯୋଗୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାଛଡ଼ା କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ପାଇଁ ଆଉ ଦୁଇଟି ପୁରୀ- ରାଉରକେଲା ଏବଂ ଭୁବନେଶ୍ବର-ହାଇଦ୍ରାବାଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଲାଗି ଦାବି କରିଛନ୍ତି ।
ଏଥିସହ ପୁରୀରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କରାଯାଉ ଏବଂ ନିଜେ ପ୍ରଧାନମନ୍ତ୍ରୀ ପୁରୀ ବିମାନବନ୍ଦରର ଲୋକାର୍ପଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଅନ୍ୟପଟେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଆଇଟିଡିସି ଅଧ୍ୟକ୍ଷ ଡାକ୍ତର ସମ୍ବିତ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।