କିଏ ଭାଙ୍ଗିଲା ଶ୍ରୀମନ୍ଦିରରେ ଥିବା ରୋଷଘରର ଚୁଲା | କିଏ ଏବଂ କାହିଁକି ପ୍ରଭୁ ଜଗନ୍ନାଥଙ୍କ ରୋଷଘରର ଚୁଲା ଭାଙ୍ଗିଲା ତାହା ଏବେ ବି ଅସ୍ପଷ୍ଟ | ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ତାର ବି ଟେର୍ ପାଇପାରି ନାହିଁ ପୋଲିସ । ତେବେ ଏ ନେଇ ଥାନାରେ ପହଞ୍ଚିଛି ମାମଲା | ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି | ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଘଟଣାକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଏସପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଖୁବ୍ ଶୀଘ୍ର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁ ଜଗନ୍ନାଥଙ୍କ ୮୦ରୁ ଅଧିକ ଚୁଲି ଭଙ୍ଗାଯାଇଥିବା କୁହାଯାଉଛି |
ଅନ୍ୟପକ୍ଷରେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷ ଘର ଚୁଲି ଭାଙ୍ଗିବା ଘଟଣା ତାଙ୍କୁ ଦୁଃଖିତ ଓ ବ୍ୟଥିତ କରିଛି ବୋଲି ସେ ଟ୍ଵିଟ୍ କରି କହିଛନ୍ତି | ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ |
ବଡଦେଉଳରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏହା ଜଗନ୍ନାଥପ୍ରେମୀଙ୍କୁ ବହୁତ ଆଘାତ ଦେଇଛି । ପ୍ରଶାସନର ସାମ୍ନାରେ କିପରି ଏଭଳି ଘଟଣା ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର |