ୟୁପିରେ ଆଜି ଚାଲିଛି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ | ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ସଦର ବିଧାନସଭା ଆସନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଲକ୍ଷ୍ମୀପୁର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା କାଦିପୁର ସାନି ମତଦାନ ବୁଥରେ ଥିବା ଇଭିଏମ୍ ମେସିନରେ କେହି ବିରୋଧୀ ଗୋଷ୍ଠୀ ଫେବିକ୍ୱିକ ଅଠା ଲଗାଇ ଦେଇଥିଲେ | ବିଶେଷକରି ସମାଜବାଦୀ ପାର୍ଟି ଲେଖାଥିବା ବଟମରେ କେହି ଅସାମାଜିକ ତତ୍ୱ ଅଠା ଲଗାଇ ଦେଇଥିଲେ | ଫଳରେ ଭୋଟର ସମାଜବାଦୀ ପାର୍ଟି ବଟନ ଦବାଇବା ବେଳକୁ ତାହା ଦବିଲାନି | ଏହି କାରଣରୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ମତଦାନ ବାଧାପ୍ରାପ୍ତ ହୋଇଥିଲା। ସମାଜବାଦୀ ପାର୍ଟି ନିର୍ବାଚନ କମିଶନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି।
ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା ) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର କହିଛନ୍ତି, ‘କେହି ଅସାମାଜିକ ବ୍ୟକ୍ତି ଆମ ନମ୍ବର ୱାନ ବଟନ୍ରେ ଫେବିକ୍ୱିକ ଅଠା ଲଗାଇ ଦେଇଥିଲେ | ଫଳରେ ସେହି ବଟନ ଦାବି ନଥିଲା | ସିସିଟିଭି ଚେକ କରାଯାଇ ଯେଉଁ ବ୍ୟକ୍ତି ଏଭଳି କରିଛନ୍ତି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି | ଇଭିଏମ୍ ମେସିନରେ ଅଠା ଲଗାଯାଇଥିବା ଅଭିଯୋଗକୁ ମାଜିଷ୍ଟ୍ରେଟ ମଧ୍ୟ ସ୍ୱୀକାର କରି ମେସିନ ପରିବର୍ତ୍ତନ କରିଥିଲେ | ମତଦାନ ବାଧାପ୍ରାପ୍ତ ହୋଇଥିବାରୁ ଭୋଟରଙ୍କ ଲମ୍ବା ଲଇଁ ଦେଖିବାକୁ ମିଳିଥିଲା |