ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ଉସ୍ମତା ବଢ଼ିବାରେ ଲାଗିଛି | କ୍ଷମତା ହାସଲ କରିବାକୁ ସବୁଦଳ ଲାଗିପଡି ଥିବା ବେଳେ କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୦ ଜଣ ମହିଳା ରହିଛନ୍ତି । ସବୁଠାରୁ ବଡକଥା ହେଲା ଯେଉଁ ଉନ୍ନାଓ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ ଦଳ ପ୍ରାର୍ଥୀ କରିଛି। ଉନ୍ନାଉ ପୀଡ଼ିତାଙ୍କ ମା’ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ, ଯାହାକି ଯୋଗୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଏ ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ‘ଆମ ତାଲିକାରେ ଥିବା ମହିଳା ଭିତରେ କିଏ ସାମ୍ବାଦିକ, କେତେକ ସଂଘର୍ଷ କରୁଥିବା ମହିଳା, ସାମାଜିକ କର୍ମୀ ଏବଂ ଅତ୍ୟାଚାରର ଶିକାର ହୋଇଥିବା କିଛି ମହିଳା ଅଛନ୍ତି | ଆମେ ଆମର ପ୍ରତିଶୃତି ଅନୁଯାୟୀ ମହିଳାମାନଙ୍କୁ ଟିକେଟ୍ ଦେଇଛୁ | ଆମ ଦଳର ଉନ୍ନାଓ ପ୍ରାର୍ଥୀ ହେଉଛନ୍ତି ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ । ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ସେ ସଂଗ୍ରାମ ଜାରି ରଖିବାକୁ ଆମେ ତାଙ୍କୁ ଏକ ସୁଯୋଗ ଦେଇଛୁ | ଯେଉଁ କ୍ଷମତା ମାଧ୍ୟମରେ ତାଙ୍କ ଝିଅ ସହିତ ଅତ୍ୟାଚାର ହୋଇଥିଲା, ତାଙ୍କ ପରିବାର ନଷ୍ଟ ହୋଇଗଲା, ସେହି କ୍ଷମତାକୁ ଏବେ ସେ ହାସଲ କରିବାକୁ ଆମେ ତାଙ୍କୁ ଏକ ସୁଯୋଗ ଦେଇଛୁ ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା |