କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ମହାପ୍ରଭୁ ବଳଦେବଜୀୟୁଙ୍କ ଏକ ନିଆରା ପରମ୍ପରା ରାହାସ ଉତ୍ସବ ବା ଫୁଲ ରଥଯାତ୍ରା । କାର୍ତ୍ତିକ ମାସର ଶେଷ ଦିନରେ ମହାପ୍ରଭୁଙ୍କ ଏହି ଫୁଲ ରଥଯାତ୍ରା ପାଳନ ହୁଏ । ଏହି ଅବସରରେ ଠାକୁରଙ୍କ ବିଜେପ୍ରତିମାକୁ ବିମାନରେ ବସାଇ ମନ୍ଦିର ବାହାରକୁ ନିଆଯାଏ । ମନ୍ଦିର ବାହାରେ ଫୁଲ ଓ କପଡାରେ ସଜେଇ ହୋଇ ରହିଥିବା ଫୁଲରଥରେ ସିଦ୍ଧ ବଳଦେବଜୀୟୁଙ୍କୁ ବିରାଜମାନ ହୋଇଥିଲେ। । ଏହା ପରେ ଫୁଲରଥଟି ଘିରିଘିରି ହୋଇ ବୁଲିବା ଆରମ୍ଭ କରିଥିଲା । ଏଭଳି ପରମ୍ପରା ଓଡିଶାର ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେନି । ମହାପ୍ରଭୁଙ୍କ ଏହି ନିଆରା ଯାତ୍ରା ଦେଖିବାକୁ ଗତକାଲି ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥିଲା । ଭକ୍ତମାନେ କାହିଁ କେତେଦୂରରୁ ଧାଇଁ ଆସିଥିଲେ ତୁଳସୀକ୍ଷେତ୍ରକୁ ଏହି ନିଆରା ଉତ୍ସବ ଦେଖିବାକୁ । ଏହିଦିନ ସକାଳୁ ମନ୍ଦିରରେ ଦହିପଖାଳ ଭୋଗ ଲାଗିଥାଏ । ଶ୍ରଦ୍ଧାଳୁ ଏହି ପ୍ରସାଦ ଅତି ଆନନ୍ଦର ସହ ପାଇଥାନ୍ତି। ସଂଧ୍ୟାରେ ମହାପ୍ରଭୁଙ୍କର ରାହାସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମନ୍ଦିର ଚାରିପଟରେ ମାନସିକଧାରୀ ଭକ୍ତମାନେ ହଜାର ହଜାର ଦ୍ବୀପ ଜାଳିଥିଲେ । କୋଭିଡ କଟକଣା ଯୋଗୁ ଗତ ବର୍ଷ ଏହି ଉତ୍ସବ ବନ୍ଦ ଥିଲା ।