ଦୁଇଦିନିଆ ପାରାଦୀପ ଗସ୍ତରେ ଆସିଥିଲେ କେନ୍ଦ୍ର ସରକାରଙ୍କ ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟର ମନ୍ତ୍ରୀ ଶାନ୍ତନୁ ଠାକୁର । କେନ୍ଦ୍ରମନ୍ତ୍ରୀଙ୍କ ଏହା ପ୍ରଥମ ପାରାଦୀପ ଗସ୍ତ ଥିଲା । ଏହି ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ପାରାଦୀପ ବନ୍ଦର ତରଫରୁ ନେହେରୁ ବଙ୍ଗଳା ସ୍ଥିତ ଗେଷ୍ଟ ହାଉସରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ବନ୍ଦର ଅଧ୍ୟକ୍ଷ ପିଏଲ ହରାନାଦ । ଏହାପରେ ସିଆଇଏସଏଫ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ କେନ୍ଦ୍ରମନ୍ତ୍ରୀ ପାରାଦୀପ ବନ୍ଦର ପରିଦର୍ଶନ କରି ବନ୍ଦର ନିଷିଦ୍ଧାଞ୍ଚଳରେ ବିଭିନ୍ନ ବିଭାଗର କାର୍ଯ୍ୟସ୍ଥଳୀ ବୁଲି ଦେଖିବା ସହିତ ଅଫିସର୍ସ କ୍ଲବରେ ପ୍ରେସ୍ମିଟ୍ କରିଥିଲେ । ପାରାଦୀପ ବନ୍ଦରର ବିଭିନ୍ନ କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ସହିତ ସ୍ଥାନୀୟ ଜନ ପ୍ରତିନିଧି , ବନ୍ଦର ଅଞ୍ଚଳରେ ଥିବା ବିଭାଗ ଶ୍ରମିକ ସଂଗଠନ ଏବଂ ଆସୋସିଏସନକୁ ଭେଟି ବିଭିନ୍ନ ଉନ୍ନତିକରଣ ବିଷୟରେ ଆଲୋଚନା କରିଥିବା ପାରାଦୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି । ଭାରତବର୍ଷରେ ରହିଥିବା ବୃହତ ବନ୍ଦରମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଦ୍ଵିତୀୟ ସର୍ବବୃହତ ବନ୍ଦରର ମାନ୍ୟତା ଲାଭ କରିଛି । ଆଗାମୀ ଦିନରେ ପାରାଦୀପ ବନ୍ଦରର ଉନ୍ନତିକରଣ ଦିଗରେ ଅନେକ ବହୁମୁଖୀ ପଦକ୍ଷେପ ନିଆଯିବା ସହିତ ନୂତନ ପ୍ରକଳ୍ପ ମାନ ସ୍ଥାପନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ନୂତନ ପ୍ରକଳ୍ପମାନଙ୍କ ମଧ୍ୟରେ ୱେଷ୍ଟାର୍ଣ ଡକ ପ୍ରୋଜେକ୍ଟ ମାଧ୍ୟମରେ ତିନି ହଜାର କୋଟି ପୁଞ୍ଜି ନିବେଶ ସହିତ ଆଗାମୀ ତିନିବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହେବା ନେଇ ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏଥିସହିତ ଆଗାମୀ ଦିନରେ ପାରାଦୀପ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ନୂତନ ପ୍ରକଳ୍ପ ସ୍ଥାପନ ସହ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ନୂତନ କରି ଏଲପିଜି ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ସମ୍ପୂର୍ଣ ଭାବରେ ସକ୍ଷମ ହେବ ଏବଂ କାର୍ଗୋ ପରିବହନ ସହିତ ବିଭିନ୍ନ ବିଭାଗରେ ପାରାଦୀପ ବନ୍ଦର ଅଗ୍ରଣୀ କରିବା ନେଇ ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସମ୍ପୂର୍ଣ ସ୍ଵଛ ଓ ସବୁଜ ବନ୍ଦର ଭାବରେ ପରିଗଣିତ କରାଯିବା ସହିତ ଏକ ଲକ୍ଷ ଚାରାରୋପଣ କରାଯାଇ ବନ୍ଦରକୁ ସବୁଜ ବନ୍ଦର ଭାବରେ ପରିଗଣିତ କରାଯିବ ନେଇ ବନ୍ଦର ଅଧ୍ୟକ୍ଷ ପ୍ରେସମିଟରେ ସୂଚନା ପ୍ରଦାନ କରିଛନ୍ତି।Union Minister Santanu Thakur visits Paradeep port || ବଦଳିବ ପାରାଦ୍ୱୀପ ବନ୍ଦର ଚେହେରା || #NNSODIA