ଅସହ୍ୟ ଖରାରେ ସିଝୁଛି ବଲାଙ୍ଗୀର ଜିଲ୍ଲା | ମଧ୍ୟାହ୍ନରେ ଆକାଶରୁ ହେଉଛି ଅଗ୍ନିବର୍ଷା । ପ୍ରବଳ ଗରମ ଯୋଗୁଁ ସନ୍ତୁଳି ହେଉଛନ୍ତି ଜିଲ୍ଲାବାସୀ । ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ପାର କରିଛି । ତାଳୁ ଫଟା ଖରା ସାଙ୍ଗକୁ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଦିନ ୧୦ ଟା ହେଲେ ଲୋକେ ପଦାକୁ ବାହାରିବାକୁ ଭୟ କରୁଛନ୍ତି |
ଜିଲ୍ଲାରେ ଲାଗି ରହିଛି ରୌଦ୍ର ତାଣ୍ଡବ। ସମୟ ଆରମ୍ଭରୁ ଟାଣ ଖରା ଅନୁଭୂତ ହୋଇଛି । ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଲୋକେ ଗ୍ରୀଷ୍ମପ୍ରବାହ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲା ର ତାପମାତ୍ରା ୪୦ ଡିଗ୍ରୀ ରୁ ଉପରେ ରହିଛି। ଯେଉଁଥିରେ ଟିଟିଲାଗଡ଼ ଓ ବଲାଙ୍ଗିର ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିବା ସୂଚନା ମିଳିଛି । ତେବେ ୨୪ ତାରିଖ ପରେ ଜିଲ୍ଲାରେ ଆହୁରି ତାତି ବଢ଼ିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ଅନ୍ୟପକ୍ଷରେ ଜିଲ୍ଲାରେ ତାତି ବଢିବା ସହିତ ମୃଦୁ ପାନୀୟର ଚାହିଦା ମଧ୍ୟ ବଢୁଛି । ଖରା ଦିନରେ ଲସି, ଘୋଳ ଦହି, ତରଭୁଜ, ପଇଡ଼ ପାଣି, କାକୁଡି ଓ ଅନ୍ୟାନ୍ୟ ଥଣ୍ଡା ଜିନିଷ ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ। ଦୋକାନମାନଙ୍କରେ ଏହି ସବୁ ଜିନିଷ ଖାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଫଳରେ ବ୍ୟବସାୟୀ ବେଶ ଦି ପଇସା ରୋଜଗାର କରୁଥିବା କହିଛନ୍ତି ।
ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି। ଅଂଶୁଘାତର ମୁକାବିଲା ପାଇଁ ଗୋଷ୍ଠୀ ଚିକିତ୍ସାଳୟ ଓ ପ୍ରାଥମିକ ଚିକିତ୍ସାଳୟମାନଙ୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ସହର ତଥା ଗ୍ରାମାଞ୍ଚଳରେ ଜଳଛତ୍ର ଖୋଲା ଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରୀନା ନାଏକ ସୂଚନା ଦେଇଛନ୍ତି ।