ୠଷ-ୟୁକ୍ରେନ ଯୁଦ୍ଧ ଆଜି ପହଂଚିଛି ୧୩ ଦିନରେ | ଭୟଙ୍କର ଯୁଦ୍ଧ ପରେ ଏବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଭାଙ୍ଗି ଯାଇଛି ଦମ୍ଭ । ବଦଳିଛି ରାଷ୍ଟ୍ରପତି ଜେଲେନସ୍କିଙ୍କ ସ୍ୱର । ଯୁଦ୍ଧରେ କେବେ ପଛକୁ ହଟିବେ ନାହିଁ ବୋଲି କହୁଥିବା ଜେଲେନସ୍କି ଏବେ ୠଷ ଯୁଦ୍ଧନୀତି ଆଗରେ ନୁଆଇଛନ୍ତି ମୁଣ୍ଡ | ଯୁଦ୍ଧ ବନ୍ଦ ପାଇଁ ରୁଷ ରଖିଥିବା ବିଭିନ୍ନ ସର୍ତ୍ତ ଉପରେ ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନାଟୋରେ ସଦସ୍ୟ ହେବାକୁ ସେ ଆଉ ଚାହୁଁ ନାହାନ୍ତି | ତେବେ ଏହି ଭୟଙ୍କର ଯୁଦ୍ଧ ଖୁଵଶୀଘ୍ର ହେବ କି ଶେଷ !
ଋଷ ଦ୍ୱାରା ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ମିଳିଥିବା ଡୋନେସ୍କ ଏବଂ ଲୁହାନସ୍କ ଉପରେ ଆପୋଷ ବୁଝାମଣା କରିବାକୁ ମଧ୍ୟ ସେ ପ୍ରସ୍ତୁତ ଥିବା କହିଛନ୍ତି। ସୋମବାର ରାତିରେ ଆମେରିକାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଜେଲେନସ୍କି ଏ ସମ୍ପର୍କରେ କହିଛନ୍ତି | ନାଟୋ ଉପରେ ଜେଲେନସ୍କି ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସେ କହିଛନ୍ତି, “ଦୀର୍ଘ ଦିନ ହେଲା ଆମେ ନାଟୋର ସଦସ୍ୟ ହେବାକୁ ଇଚ୍ଛା ପ୍ରକାଶ କରି ଆସୁଥିଲୁ। କିନ୍ତୁ ‘ମୁଁ ଏବେ ବୁଝି ପାରିଛି ନାଟୋ ଆମକୁ ସେମାନଙ୍କ ମେଣ୍ଟରେ ସାମିଲ କରିବାକୁ ଚାହୁଁନାହିଁ। ବିବାଦୀୟ ପ୍ରସଙ୍ଗ ଏବଂ ଋଷ ସହିତ ମୁକାବିଲା କରିବାକୁ ନାଟୋ ଡରୁଛି | ନାଟୋର ସଦସ୍ୟତା ଦାବି କରିବାରୁ ଆମ ଦେଶ ଉପରେ ଆକ୍ରମଣ ହେଲା। କିନ୍ତୁ ଆମକୁ କେହି ବି ସହଯୋଗ କରିବାକୁ ଆସିଲେନି।” ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି |