ଆଜି ଯୁଦ୍ଧର ତୃତୀୟ ଦିନ | ଏବେ ସଭିଙ୍କ ନଜର ଋଷ ଆଉ ୟୁକ୍ରେନ ଉପରେ | ଋଷର ଲଗାତାର ଆକ୍ରମଣ ପରେ ଅସହାୟ ହୋଇପଡିଛି ୟୁକ୍ରେନ | ତଥାପି ରୁଷ ଆଗରେ ମୁଣ୍ଡ ନୁଆଉଁ ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି | ଜେଲେନସ୍କିଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜାଣିଛନ୍ତି କି ଜେଲେନସ୍କି ରାଷ୍ଟ୍ରପତି ହେବା ପୂର୍ବରୁ ଥିଲେ ଜଣେ ହାସ୍ୟ ଅଭିନେତା | ନିଜ କମେଡି ଜରିଆରେ ସେ ଲୋକଙ୍କୁ ହସି ହସି ଗଡ଼ାଇ ଦେଉଥିଲେ | ସେ ଜଣେ ଅଭିନେତା ଏବଂ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ଭାବରେ ୟୁକ୍ରେନରେ ବେଶ ଲୋକପ୍ରିୟ |
1997 ରେ ଜେଲେନସ୍କି ଅନ୍ୟ କଳାକାରମାନଙ୍କ ସହିତ ମିଶି ଏକ କମେଡି ଗୃପ ‘କ୍ୱାର୍ଟାଲ୍ 95’ ଗଠନ କରିଥିଲେ | ଏହି ଗୃପ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲା | ସେ ତାଙ୍କର ଏକ ସୋ’ରେ ସ୍କୁଲ ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ | କିଏ ଜାଣିଥିଲା କି ଦିନେ ସେ ୟୁକ୍ରେନର ରାଷ୍ଟ୍ରପତି ହେବେ | ଅନ୍ୟ ଆନ୍ତର୍ଜାତୀୟ ନେତାଙ୍କ ତୁଳନାରେ ଭୋଲୋଡିମିର ଜେଲେନସ୍କିଙ୍କ ଜୀବନ ଏବଂ କ୍ୟାରିୟର ବହୁତ ସାଧାରଣ | ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଅନେକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି | ତଥାପି, ସେ ସାହସର ସହିତ ଏହି ସଙ୍କଟଗୁଡିକର ସମ୍ମୁଖୀନ କରିଆସୁଛନ୍ତି | 2018 ରେ, ଜେଲେନସ୍କି ହଠାତ୍ ରାଜନୀତିରେ ପାଦ ଦେଇଥିଲେ | ସର୍ଭେଣ୍ଟ ଅଫ୍ ପିପୁଲ୍ସ ପାର୍ଟିର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷିତହୋଇଥିଲେ | 2019 ମସିହାରେ, ଜେଲେନସ୍କି 73 ପ୍ରତିଶତରୁ ଅଧିକ ଭୋଟ୍ ସହିତ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ | ରାଷ୍ଟ୍ରପତି ହେବା ପରଠାରୁ ଆମେରିକାର ସହ ଜେଲେନସ୍କିଙ୍କ ସମ୍ପର୍କ ବହୁତ ଭଲ ରହିଛି। ସେ ଜୋ ବାଇଡେନଙ୍କ ଓ ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ କାମ କରିଛନ୍ତି ।