ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ | ଆଜି ସେ ଗୁଜରାଟ ଅହମଦାବାଦରେ ପହଞ୍ଚିଛନ୍ତି | ଏହି ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସାବରମତି ଆଶ୍ରମକୁ ଯାଇ ବାପୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ | ସାବରମତି ଆଶ୍ରମରେ ବୋରିସ ଜନସନ ଅରଟ ବୁଲାଇ ସୂତା କାଟିବା ଦେଖିବାକୁ ମିଳିଥିଲା | ତେବେ ସେଠାରେ ଥିବା ପରିଦର୍ଶକ ଖାତାରେ ସେ ଲେଖିଛନ୍ତି ଯେ , ସତ୍ୟ ଏବଂ ଅହିଂସା ଭଳି ସରଳ ନୀତି ମାଧ୍ୟମରେ ଗାନ୍ଧୀଜୀ କିପରି ଦୁନିଆକୁ ସୁନ୍ଦର କରିବା ତଥା ପରିବର୍ତ୍ତନ ପାଇଁ ପ୍ରେରଣା ଦେଇଛନ୍ତି ଅରଟ ବୁଲାଇ ତାହା ବୁଝିବା ପାଇଁ ଚେଷ୍ଟା କରିଥିଲେ | ତେବେ ଏହି ଅସାଧାରଣ ବ୍ୟକ୍ତିଙ୍କ ଆଶ୍ରମକୁ ଆସିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟ |
ଅହମ୍ମଦାବାଦରେ ଜନସନ ପହଂଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବିମାନ ବନ୍ଦରଠାରୁ ହୋଟେଲ ପର୍ଯ୍ୟନ୍ତ ଏକ ରୋଡ ସୋ କରାଯାଇଥିଲା | ବିମାନବନ୍ଦରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପ୍ରଧାନମନ୍ତ୍ରୀ ଜନସନଙ୍କୁ ସ୍ୱାଗତ କରିଥିଲେ |
ବ୍ରିଟେନ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ନେତାଙ୍କ ମଧ୍ୟରେ ବିଶେଷ ଭାବରେ ଟ୍ରେଡ ଓ ପ୍ରତିରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ ।