ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପୁଣି ଏକାକ୍ତ ଧକ୍କା । ଭାରତ ସରକାରଙ୍କୁ କୋଟି କୋଟି ଟଙ୍କା ଟ୍ୟାକ୍ସ ଠକିବା ଘଟଣାରେ ତାଙ୍କ ବିରୋଧରେ ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ଲଣ୍ଡନରେ ଯାଇ ରହୁଥିଲେ ମାଲ୍ୟା । ଲଣ୍ଡନ କୋର୍ଟ ତାଙ୍କୁ ପୂର୍ବରୁ ପଳାତକ ଘୋଷଣା କରିବା ପରେ ଏବେ ତାଙ୍କୁ ନିଜ ଘରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାଲ୍ୟା ତାଙ୍କ ପରିବାର ସହ ରହୁଥିବା ଲଣ୍ଡନସ୍ଥିତ ବିଳାସମୟ ପ୍ରାସାଦ ଛାଡିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଲଣ୍ଡନ ହାଇକୋର୍ଟ । ସୁଇସ୍ ବ୍ୟାଙ୍କ ୟୁବିଏସ୍ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କ ଆବେଦନ ଅଗ୍ରାହ୍ୟ କରିଦେଇଛନ୍ତି।
ଲଣ୍ଡନର ସବୁଠାରୁ ହାଇପ୍ରୋଫାଇଲ ଅଞ୍ଚଳ ତଥା ରିଜେଣ୍ଟସ ପାର୍କ ଓ ମାଡାମ ଟୁସାଦଙ୍କ ଓ୍ୱାକ୍ସ ମ୍ୟୁଜିୟମ ନିକଟରେ ଅବସ୍ଥିତ ପ୍ରାସାଦକୁ ମାଲ୍ୟା ବନ୍ଧକ ରଖିଥିଲେ ବି ପ୍ରାପ୍ୟ ପ୍ରଦାନ କରି ନଥିଲେ । ଏହି ପ୍ରାସାଦରେ ବର୍ତ୍ତମାନ ମାଲ୍ୟା, ପୁଅ ସିଦ୍ଧାର୍ଥ ଓ ତାଙ୍କର ୯୫ ବର୍ଷ ବୟସ୍କା ମା’ ଲଳିତା ରହୁଛନ୍ତି । ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି। ।
ସୂଚନା ମୁତାବକ, କିଙ୍ଗଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ। ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୨୦୧୭ ମେ’ ୯ରେ ଦୋଷୀ ଘୋଷଣା କରିଥିଲେ, କାରଣ ସେ ନିଜ ସମ୍ପତ୍ତିର ପୂରା ତାଲିକା କୋର୍ଟଙ୍କ ନିକଟରେ ଦାଖଲ କରି ନ ଥିଲେ।