ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ। ଯୁଦ୍ଧରେ ଗଲାଣି ହଜାର ହଜାର ନିରୀହ ଲୋକଙ୍କ ଜୀବନ। ଋଷ ସେନା ୟୁକ୍ରେନର ଅନେକ ସହରକୁ କରିସାରିଲେଣି ଛାରଖାର | ଲକ୍ଷ ଲକ୍ଷ ୟୁକ୍ରେନବାସୀ ନିଜ ଦେଶ ଛାଡି ପଡୋଶୀ ଦେଶରେ ନେଉଛନ୍ତି ଆଶ୍ରୟ । ଏହି ସମୟରେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏକ ହୃଦୟକୁ ଛୁଇଁବା ଭଳି ଭିଡିଓ | ୟୁକ୍ରେନର ଚାରିଆଡେ ଆତଙ୍କର ଦୃଶ୍ୟ | ତାରି ଭିତରେ ଦୁଇ ୟୁକ୍ରେନ ସୈନିକ ବିବାହ ବନ୍ଧନରେ ହୋଇଛନ୍ତି ଆବଦ୍ଧ |
ପ୍ରେମ ଆଗରେ ହାର ମାନିଛି ଋଷ ସେନାଙ୍କ ଆକ୍ରମଣ | ସାତ ଜନ୍ମର ଜୀବନସାଥୀ ହୋଇଛନ୍ତି ଦୁଇ ସୈନିକ | ସେମାନେ କହିଛନ୍ତି କିଏ ଜାଣିଛି କାଲି କଣ ହେବ, କିନ୍ତୁ ଏହି ଯୁଦ୍ଧ ଭିତରେ ଆମେ ହାରିନୁ | କି ଆମ ପ୍ରେମକୁ ହାରିବାକୁ ଦେବୁନି | ତେଣୁ ବିବାହ କରି ଜନ୍ମ ଜନ୍ମର ସାଥି ହେବା ପାଇଁ ନେଇଛୁ ନିଷ୍ପତି | ବଞ୍ଚିଲେ ଏକାଠି ବଂଚିବୁ ଏବଂ ଶତ୍ରୁର ଆକ୍ରମଣରେ ମଲେ ଏକାଠି ମରିବୁ ବୋଲି କହିଛନ୍ତି ଦମ୍ପତି | ତେବେ ଉଭୟ ବର ଓ କନ୍ୟା ସେନା ୟୁନିଫର୍ମରେ ଥାଇ କରିଛନ୍ତି ବିବାହ | ଏହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ୟୁକ୍ରେନର ପ୍ରତିରକ୍ଷା ବାହିନୀର 112 ବ୍ରିଗେଡର ଦୁଇଜଣ ସୈନିକ ବିବାହ କରିଛନ୍ତି। ସେମାନଙ୍କର ନାମ ହେଉଛି ଲେସିଆ ଏବଂ ଭାଲେରୀ | ଉଭୟେ ୟୁକ୍ରେନର 112 ବ୍ରିଗେଡର ସୈନିକ | ଯେଉଁମାନେ ଏବେ ଋଷ ବିରୋଧରେ ଲଢ଼ୁଛନ୍ତି ଯୁଦ୍ଧ | ଭିଡିଓରେ ଦେଖିବାକୁ ମିଲିଚି ଯେ, ବିବାହ ପରେ ସାଥୀ ସୈନିକ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି |