ଅଗ୍ନିକାଣ୍ଡ ଘଟି 2ଟି ଦୋକାନ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି | ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତର କଣୀପଡା ପଲିଟେକନିକ୍ କଲେଜ ନିକଟରେ ଥିବା ୨ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ନେବାରୁ ଜଣାଯାଏ ଅଛୁତପୁର ଗ୍ରାମର ବିପନ କୁମାର ଦାସଙ୍କ ଏକ ଜଳଖିଆ ଦୋକାନ ଏବଂ ଓରଣ୍ଡ ଗ୍ରାମର ଉପେନ୍ଦ୍ର ଦାସଙ୍କ ଏକ ଭେରାଇଟି ଷ୍ଟୋରରେ ଗତକାଲି ରାତି ୨ ଘଟିକା ସମୟରେ କୈଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା | ଦୋକାନ ଦୁଇଟି ଜଳୁଥିବା ସମୟରେ ବିପନ କୁମାର ଦାସଙ୍କ ଜଳଖିଆ ଦୋକାନରେ ଥିବା ଗ୍ୟାସ ଟାଙ୍କିଟି ଫାଟିଥିଲା । ଟାଙ୍କି ଫାଟିବାର ଶବ୍ଦ ଏତେ ଜୋର ଥିଲା ଯେ ଆଖପାଖରୁ ଲୋକେ ନିଦରୁ ଉଠି ବାହାରକୁ ପଳାଇ ଆସିଥିଲେ । ଦୋକାନ ଦୁଇଟି ଜଳୁଥିବାର ଦେଖି ପ୍ରଥମେ ନାଉଗାଁ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହିତ ଦେକାନୀଙ୍କୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ବିପିନ କୁମାର ଦାସଙ୍କ ଜଳଖିଆ ଦୋକାନ ଏବଂ ଉପେନ୍ଦ୍ର ଦାସଙ୍କ ଭେରାଇଟି ଷ୍ଟୋର ସମ୍ପୂର୍ଣ ପୋଡି ପାଉଁଶ ହୋଇଯାଇଥିଲା ।ଅଗ୍ନିକାଣ୍ଡ କିପରି ଘଟିଲା ତାହା ଜଣାପଡିନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।