ପୁରୀ(ଏନଏନଏସ୍): ପୁଣି ଚର୍ଚ୍ଚାରେ ଆଇନବିଭାଗ। ଶ୍ରୀମନ୍ଦିରର ଦୁଇଟି ଫାଇଲ ହଜାଇ ଦେଇଛି । ଏହି ଫାଇଲରେ ହାଇକୋର୍ଟ ମାଗିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ରହିଛି। ବହୁ ଖୋଜାଖୋଜି ପରେ ବି ଫାଇଲ ନମିଳିବାରୁ ଆଇନବିଭାଗ ପକ୍ଷରୁ ସମସ୍ତ ସେକସନକୁ ଏନେଇ ଚିଠି କରି ଖୋଜିବା ପାଇଁ କୁହାଯାଇଛି। ଯାହାକୁ ନେଇ ଗତକାଲି ଛତିଶା ନିଯୋଗ ବୈଠକରେ ତୁମ୍ଭିତୋଫାନ ଦେଖାଦେଇଛି । ସୁଭଦ୍ରାଙ୍କ ବାଡଗ୍ରାହୀ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଆଇନବିଭାଗର ଦାୟିତ୍ୱହୀନତା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଫାଇଲ ହଜିଲା ତାର କାରଣ ମାଗିଛନ୍ତି ବରିଷ୍ଠ ସେବାୟତ ପ୍ରତିନିଧି। ହେଲେ ଏହା ଉପରେ କୌଣସି ଉତ୍ତର ରଖିନାହିଁ ଶ୍ରୀମନ୍ଦିର ପ୍ରଶାସନ ।
ସେପଟେ ଆସନ୍ତା ୨୦ତାରିଖରେ ମହାପ୍ରଭୁଙ୍କ ଜମିଜମା ମାମଲାର ଶୁଣାଣି ରହିଥିବା ବେଳେ ଫାଇଲ ହଜିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାରଙ୍କ ଆଇନ ବିଭାଗ କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପ୍ରଶାସନ ସହ ଅନ୍ୟାନ୍ୟ ସେକ୍ସନ ରହିଛି। ଶ୍ରୀମନ୍ଦିର କାର୍ୟ୍ୟାଳୟରୁ ଚିଠି ନେଣଦେଣ ଶ୍ରୀମନ୍ଦିର ସେକ୍ସନ ସହ ହୋଇଥାଏ। ଆଇନବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ସେକ୍ସନରୁ ଚିଠି ହଜିବା ସମ୍ପର୍କରେ ନିଜ ଅଧିନସ୍ଥ ସମସ୍ତ ସେକ୍ସନକୁ ଚିଠି ନମ୍ବର JTA 50/21/8210/L କରାଯାଇଛି। ଯେଉଁଥିରେ ହଜିଥିବା ଫାଇଲ ନମ୍ବର JTA 55/2006 (PT) ଓ JTA 06/2014 ବୋଲି ଉଲ୍ଲେଖ ରହିଛି। ଏହା ହାଇକୋର୍ଟ ଅର୍ଡର ସମ୍ପର୍କିତ ଫାଇଲ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଇ ଖୋଜିବା ପାଇଁ ଜଣାଇ ଦିଆଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ବାରମ୍ବାର ଆଇନବିଭାଗର ଶ୍ରୀମନ୍ଦିର ପ୍ରଶାସନ ସେକ୍ସନରୁ ଫାଇଲ ହଜୁଛି ବୋଲି ବୈଠକରେ ଅଭିଯୋଗ ଆଣିଛନ୍ତି ରାମଚନ୍ଦ୍ର ଦାସମହାପାତ୍ର। ଆଇନବିଭାଗରେ ଶ୍ରୀମନ୍ଦିର ସେକ୍ସନ ଭଳି ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ସେକ୍ସନ ରହୁଛି। କିନ୍ତୁ ସେସବୁ ସେକ୍ସନରେ ଫାଇଲ ହଜୁନଥିବା ବେଳେ ଶ୍ରୀମନ୍ଦିର ସେକ୍ସନରେ ବାରମ୍ବାର ଫାଇଲ ହଜିବା ନେଇ ସନ୍ଦେହ ସୃଷ୍ଟି କରିଛି। ଏଣୁ ସରକାର ଏଭଳି ଘଟଣାକୁ ଗୁରୁତ୍ୱର ସହ ନେବା ପାଇଁ ଦାବି କରିଛନ୍ତି ରାମଚନ୍ଦ୍ର ଦାସମହାପାତ୍ର ।