ମହାମାରୀ କରୋନା କାହାକୁ ସର୍ବସ୍ୱାନ୍ତ କରିଦେଇଛି ତ କାହାଠୁ ବୃତ୍ତି ଛଡାଇ ନେଇଛି । କାହାକୁ ଘୋର ବିପତ୍ତିକୁ ଠେଲି ଦେଇଛି ତ ଆଉ କାହାକୁ ସଫଳତାର ବାଟ ଦେଖାଇଛି । ଜୀବନର ଏମିତି କିଛି ଅଙ୍କାବଙ୍କା ରାସ୍ତାକୁ ପାର କରି ଶେଷରେ ସଫଳ ଚାଷୀ ପାଲଟିଯାଇଛନ୍ତି ଦୁଇ ଭାଇ ଅମୂଲ୍ୟ ଓ ଦିଲ୍ଲୀପ । ଦୁଇ ଭାଇ ୟୁଟ୍ୟୁବରୁ ଧଳା ଘୁଷୁରି ଚାଷ ସମ୍ପର୍କରେ ଜାଣି ଆରମ୍ଭ କଲେ ଫାର୍ମ | ଏହି ଫାର୍ମରେ ସେ ୫ ଜଣଙ୍କୁ କର୍ମ ସଂସ୍ଥାନ ଦେବା ସହ ନିଜେ ମଧ୍ୟ ରୋଜଗାର କ୍ଷମ ହୋଇପାରିଛନ୍ତି ।
କଟକ ଜିଲ୍ଲାର ସାଲେପୁର ବ୍ଲକ ଗୋପୀନାଥପୁର ଗାଁର ଦୁଇ ଭାଇ ଅମୂଲ୍ୟ ଓ ଦିଲ୍ଲୀପ । ମହାମାରୀ କରୋନା ଲକଡାଉନ ସମୟରେ ସେମାନେ କାମଧନ୍ଦା ହରାଇ ଘରେ ବସିଥିଲେ | ତେବେ ଗାଁରେ କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କଲେ | ଏହା ଭିତରେ ମୋବାଇଲରେ ୟୁଟ୍ୟୁବ ଦେଖୁଦେଖୁ ତାଙ୍କ ନଜର ପଡିଥିଲା ଧଳା ଘୁଷୁରି ଚାଷ ସମ୍ପର୍କରେ | ଏହି ଭିଡିଓ ତାଙ୍କ ପାଇଁ ପାଲଟିଯାଇଥିଲା ଏକ ପ୍ରେରଣା । ଧଳା ଘୁଷୁରି ଚାଷ ପାଇଁ ମନସ୍ଥ କଲେ ଦୁଇ ବନ୍ଧୁ ଅମୂଲ୍ୟ ଓ ଦିଲ୍ଲୀପ | ପ୍ରଥମେ ସେମାନେ ଜଣେ ବନ୍ଧୁଙ୍କ ସହାୟତାରେ ଉତ୍ତରପ୍ରଦେଶ ଯାଇ ଧଳାଘୁଷୁରୀ ସମ୍ପର୍କରେ ବିଧିବଦ୍ଧ ଭାବେ ତାଲିମ ନେଇଥିଲେ | ପରେ ସେମାନେ ନିଜ ଗାଁ ଗୋପୀନାଥପୁରକୁ ଆସି ୫୦୦୦ ସ୍କ୍ୱାୟାରଫୁଟର ଜାଗାରେରେ ଏକ ଫାର୍ମ କଲେ | ପ୍ରଥମେ ଉତ୍ତରପ୍ରଦେଶରୁ 30ଟି ଧଳା ଘୁଷୁରୀ ବ୍ରିଡ଼ ଆଣି ବେପାର ଆରମ୍ଭ କରିଥିଲେ | ଏବେ ଏହା ବଢି ୨୦୦ ଘୁଷୁରୀରେ ପହଞ୍ଚିଲେଣି । 70ଟି କୋଠରୀରେ ଏବେ ୧୦୦ଟି ଛୁଆ ଘୁଷୁରୀ ଓ ୧୦୦ଟି ବଡ଼ ଘୁଷୁରୀ ଅଛନ୍ତି।
ଆସାମ,ମଣିପୁର ଓ ନାଗାଲ୍ୟାଣ୍ଡରେ ବହୁତ ଚାହିଦା ରହୁଥିବାରୁ ଏହି ଫାର୍ମରେ ଶାବକ ପ୍ରସ୍ତୁତ କରାଯାଇ ବାହାରକୁ ପଠାଯାଉଛି। ଏହି ଫାର୍ମ ରେ ଓଡିଶା ର ବିଭିନ୍ନ ସ୍ଥାନରୁ ଅମୂଲ୍ୟ ଙ୍କଠାରୁ ଏହାର ପ୍ରଣାଳୀ ସମ୍ପର୍କରେ ବୁଝି ଏହି ଫର୍ମରୁ ଶାବକ ନେଇ ନିଜେ ମଧ୍ୟ ଫାର୍ମ କରିଛନ୍ତି। ଅମୂଲ୍ୟ ଙ୍କ ଭାଇ ଦିଲିପ ଙ୍କ କହିବା ଅନୁଯାୟୀ ଯୁବପୀଢ଼ି ଚାକିରୀ ପଛରେ ନ ଗୋଡେଇ ନିଜର ଦୃଢ଼ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସକୁ ନେଇ ଆଗକୁ ବଢିଲେ ସଫଳତା ହାସଲ କରିପାରିବେ ।