ଟ୍ୱିଟରର ସିଇଓ ଏଲନ୍ ମସ୍କ ମାଇକ୍ରୋବ୍ଳଗିଂଗ ପ୍ଲେଟଫର୍ମରେ ଆଗାମୀ ସୁବିଧା ବିଷୟରେ କିଛି ଅପଡେଟ୍ ଜାରି କରିଛନ୍ତି । ସୋସିଆଲ ମିଡିଆ ଟ୍ବିଟର୍ରେ ଖୁବ ଶୀଘ୍ର ଭଏସ୍ ଓ ଭିଡିଓ କଲ୍ କରିବା ସୁବିଧା ମିଳିବା ନେଇ ମସ୍କ ନିଜେ ସୂଚନା ଦେଇଛନ୍ତି। ୪୪୦୦ କୋଟି ଡଲାରରେ ଟ୍ବିଟରକୁ କିଣିବା ପରଠାରୁ ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଲୋକମାନେ ହ୍ବାଟସ୍ଆପ୍ ରେ କଲ୍ କରୁଥିବା ଭଳି ଟ୍ବିଟର୍ ଆପ୍ ରେ ମଧ୍ୟ ଭଏସ୍ ଓ ଭିଡିଓ କଲ୍ କରିପାରିବେ। ବ୍ୟବହାରକାରୀମାନେ ନିଜ ହାଣ୍ଡେଲ୍ ରେ ସେହି ସୁବିଧା ପାଇପାରିବେ। ଏହି ସୁବିଧା ଉପଲବ୍ଧ ହେବା ପରେ ଟ୍ବିଟର ବ୍ୟବହାରକାରୀମାନେ ନିଜ ନମ୍ବର କାହାକୁ ନଦେଇ ବିଶ୍ବର ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ। ତେବେ ସେହି କଲ୍ ଏନ୍କ୍ରିପ୍ଟେଡ୍ ହେବ ନା ନାହିଁ ତାହା ମସ୍କ ସ୍ପଷ୍ଟ କରିନାହାନ୍ତି।