ଜଣେ ଆଦିବାସୀ ମହିଳା ହେଲେ ତୁଳସୀ ଗୌଡା | ଗତ ୬ ଦଶନ୍ଧି ଧରି ପରିବେଶ ସୁରକ୍ଷା ପାଇଁ ସେ ଦିନରାତି କାମ କରିଆସୁଛନ୍ତି। କର୍ଣ୍ଣାଟକର ଏକ ଆଦିବାସୀ ଜନଜାତିର ତୁଳସୀ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାନ୍ତି ସତ , କିନ୍ତୁ ପ୍ରକୃତି ସଂରକ୍ଷଣ ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଯୋଗୁ ଜଡିବୁଟି ଏବଂ ଉଦ୍ଭିଦ ବିଷୟରେ ତାଙ୍କର ରହିଛି ‘ଅସୀମ ଜ୍ଞାନ’ | ତେଣୁ ତୁଳସୀ ‘ଏନସାଇକ୍ଲୋପିଡିଆ ଅଫ୍ ଫରେଷ୍ଟ ‘ ଭାବରେ ଜଣାଶୁଣା |
ପରିବେଶ ସୁରକ୍ଷା ପାଇଁ ତାଙ୍କୁ ନଭେମ୍ବର ୨୦୨୧ ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି | ଏହାବ୍ୟତୀତ ତୁଳସୀଙ୍କୁ ‘ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର’, ‘ରାଜୋତ୍ସବ ପୁରସ୍କାର’ ଏବଂ ‘କବିତା ମେମୋରିଆଲ’ ଭଳି ଅନେକ ପୁରସ୍କାର ପ୍ରଦାନ କରାଯାଇଛି।
ତୁଳସୀ ଗଛ ଯେପରି ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ଜୀବନ ରକ୍ଷାକାରୀ ଔଷଧ ଭଳି କାର୍ଯ୍ୟ କରେ, ସେହିପରି ୭୨ ବର୍ଷ ବୟସ୍କା ଆଦିବାସୀ ମହିଳା ତୁଳସୀ ଦୁନିଆକୁ ଶୁଦ୍ଧ ଅମ୍ଳଜାନ ଯୋଗାଇବା ପାଇଁ ଦିନରାତି କାମ କରିଆସୁଛନ୍ତି | ତୁଳସୀ ଗୌଡା କର୍ଣ୍ଣାଟକର ହୋନାଲି ଗାଁର ବାସିନ୍ଦା | ସେ ଜଣେ ଆଦିବାସୀ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ |ତୁଳସୀ ଦୁଇ ବର୍ଷ ବୟସରେ ତାଙ୍କ ପିତାଙ୍କୁ ହରାଇଥିଲେ| ବହୁତ କମ୍ ବୟସରେ କର୍ଣ୍ଣାଟକର ଏକ ସ୍ଥାନୀୟ ନର୍ସରୀରେ ତାଙ୍କ ମା ସହିତ କାମ କରିବା ଆରମ୍ଭ କରିଥିଲେ | ପରେ ତୁଳସୀ ଅସ୍ଥାୟୀ ସ୍ୱେଚ୍ଛାସେବୀ ଭାବରେ ଜଙ୍ଗଲ ବିଭାଗରେ ଯୋଗ ଦେଇଥିଲେ | ସେଠାରେ ପ୍ରାୟ ୩୦ ବର୍ଷ କାର୍ଯ୍ୟ କରିବା ପରେ ପ୍ରକୃତି ସଂରକ୍ଷଣ ପ୍ରତି ତାଙ୍କର ଉତ୍ସର୍ଗୀକୃତ ହେତୁ ତାଙ୍କୁ ବିଭାଗରେ ସ୍ଥାୟୀ ଚାକିରି ପ୍ରଦାନ କରାଯାଇଥିଲା। ୬୦ ବର୍ଷ ବୟସରେ ସେଠାରୁ ଅବସର ନେଇଥିଲେ ମଧ୍ୟ ଆଜି ବି ସେ ଜଙ୍ଗଲ ପାଇଁ କାମ କରୁଛନ୍ତି | ସେ ଏବେ ସୁଦ୍ଧା ୩୦ ହଜାରରୁ ଅଧିକ ଗଛ ଲଗାଇସାରିଛନ୍ତି | ତୁଲସୀ ଗୌଡା ବିଶ୍ୱାସ କରନ୍ତି ଯେ, ପ୍ରକୃତି ସଂରକ୍ଷଣ କରିବା ସଂସ୍କୃତିକୁ ଆମେ ପରବର୍ତ୍ତୀ ପିଢ଼ିକୁ ଶିଖେଇବା ଉଚିତ | ଯେମିତି ସେମାନେ ବୃକ୍ଷ ଲତାକୁ ସମ୍ମାନ କରିବେ ଏବଂ ସେମାନଙ୍କ ପ୍ରତି ଥିବା ଦାୟିତ୍ୱକୁ ଠିକ ଭାବେ ବୁଝିପାରିବେ |