ପ୍ରେମ ପବିତ୍ର, ପ୍ରେମ ଶାଶ୍ୱତ | ପ୍ରେମ ହେଉଛି ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଜ୍ଞା । ବଲାଙ୍ଗୀରରେ ଦେଖିବାକୁ ମିଳିଛି ଜଣେ ଦିବ୍ୟାଙ୍ଗଙ୍କ ପ୍ରେମ କାହାଣୀ । ଯୁବକ ଜଣକ ଦିବ୍ୟାଙ୍ଗ ହେବା ସତ୍ୱେ ମଧ୍ୟ ତାଙ୍କୁ ମିଳିଛି ଜଣେ ଭଲ ପାଇବା ସାଥୀଟିଏ | ଶାରୀରିକ ଅକ୍ଷମତା କେବେ ତାଙ୍କ ଦୁହିଁଙ୍କ ପ୍ରେମରେ ବାଧା ସୃଷ୍ଟି କରିନାହିଁ | ଆସନ୍ତୁ ଅଧିକ ଜାଣିବା ଉକ୍ତ ଦମ୍ପତିଙ୍କ ପ୍ରେମଭରା ସୁଖମୟ ଜୀବନ ବିଷୟରେ ।
ବଲାଙ୍ଗୀର ଜିଲ୍ଲା ପୁଇଁତଲା ଗ୍ରାମର ସବ୍ୟସାଚୀ ପଟେଲ l ଜନ୍ମରୁ ସେ ଦିବ୍ୟାଙ୍ଗ | ତାଙ୍କର ଦୁଇ ଗୋଡ଼ ଦୁର୍ବଳ ଯୋଗୁ ସେ ଠିକ ଭାବରେ ଚାଲିପାରନ୍ତି ନାହିଁ l କିନ୍ତୁ ନିଜକୁ ଦିବ୍ୟାଙ୍ଗ ବୋଲି ସେ କେବେ ମନ ଦୁଃଖ କରନ୍ତି ନାହିଁ l ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ସବ୍ୟସାଚୀ l ପାଠ ପଢିବା ପରେ ଚାକିରି ମିଳିଲା ନାହିଁ ତଥାପି ଜାରି ରହିଲା ସବ୍ୟସାଚୀଙ୍କ ସଂଘର୍ଷ l ଘରେ କୁକୁଡ଼ା ଫାର୍ମ କରି ପରିବାର ଚଳେଇ ନେଉଛନ୍ତି l ଇତି ମଧ୍ୟରେ ଗତ ଦୁଇ ବର୍ଷ ହେବ ସବ୍ୟସାଚୀ ପ୍ରେମ ବିବାହ ମଧ୍ୟ କରିଛନ୍ତି । ସବ୍ୟସାଚୀ ଦିବ୍ୟାଙ୍ଗ ହେବା ସତ୍ୱେ ମଧ୍ୟ ତାଙ୍କୁ ସାକ୍ଷୀ ଭଳି ଜଣେ ଭଲ ପାଇବା ମଣିଷ ମିଳିଥିଲା ଦୀର୍ଘ ପାଞ୍ଚ ବର୍ଷ ଆଗରୁ । ଇତି ମଧ୍ୟରେ ସବ୍ୟସାଚୀ ତ ସାକ୍ଷୀଙ୍କ ବାହାଘରକୁ ମଧ୍ୟ ଦୁଇ ବର୍ଷ ବିତିଯାଇଛି । ହସଖୁସିରେ ଚାଲିଛି ସଂସାର | ତେବେ ସବ୍ୟସାଚୀ କହିଛନ୍ତି ପ୍ରେମ କରୁଥିବା ସମସ୍ତ ଯୁବକ ଓ ଯୁବତୀ ପ୍ରତିଶୃତିବଦ୍ଧ ହେବା ଦରକାର । ଯେଉଁ ପ୍ରେମରେ ମିଛ କି ସ୍ୱାର୍ଥ ରହେ ନାହିଁ ସେ ପ୍ରେମ ନିଶ୍ଚୟ ସଫଳ ହୁଏ ବୋଲି କହିଛନ୍ତି ।