ସାରା ବିଶ୍ବରେ ମଣିଷର ଜୀବନଶୈଳୀ ଦ୍ରୁତଗତିରେ ପରିବର୍ତ୍ତନ ହେଉଛି | ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ମିଳୁନି ସମୟ | ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୃଷ୍ଟି ଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ବି ହେଉନାହିଁ ସମ୍ଭବ । କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ଵକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ ଅଲ୍ଟମେଟ୍ ମେଡିକେୟାର ପକ୍ଷରୁ ଆଜି ଏକ ଫୁଡ ଫେଷ୍ଟିଭାଲ୍ ଆୟୋଜନ କରାଯାଉଛି ।
ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ । ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଭାବରେ ପାଳନ କରାଯାଉଛି। ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟିଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ପାଇଁ ଏକ ଫୁଡ୍ ଫେଷ୍ଟିଭାଲ୍ର ଆୟୋଜନ କରାଯାଉଛି । ବିଶେଷକରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ କାର୍ଯ୍ୟକ୍ରମରେ ଅବଗତ କରାଇବାର ଉଦ୍ଦେଶ୍ୟ ରହିଛି ।
ଏହି ୧୨ ଘଣ୍ଟିଆ ଫୁଡ୍ ଫେଷ୍ଟିଭାଲ୍ ସକାଳ ୯ ଟାରୁ ଆରମ୍ଭ ହୋଇଛି। ଫୁଡ୍ ଫେଷ୍ଟିଭାଲରେ ୯ଟି ସ୍ବତନ୍ତ୍ର କାଉଣ୍ଟର ରଖାଯାଇଛି, ଯେଉଁଠାରେ ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବିଭିନ୍ନ ପ୍ରକାରର ସ୍ନାକ୍ସ ଇତ୍ୟାଦି ମେନୁରେ ସାମିଲ ଅଛି । ସେହିପରି ଅନ୍ୟ ଏକ ସ୍ବତନ୍ତ୍ର କାଉଣ୍ଟରରେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟକର ପାନୀୟ ଯେପରିକ ବେଲପଣା, ଆମ୍ବପଣା, ଲସି, ଫ୍ରୁଟ ସେକ୍, ଲେମ୍ବୁପାଣି, ଫ୍ରେଶ ଫ୍ରୁଟ ଜୁସ୍ ଏବଂ ବଟର୍ ମିଲକ ପ୍ରଭୃତି ସାମିଲ୍ ଅଛି । ଖରା ଯୋଗୁ ପଣା ଏବଂ ଲସି କାଉଣ୍ଟରରେ ଜମୁଛି ଭିଡ |