ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି | କରୋନାରୁ ରକ୍ଷା ପାଇବା ପାଇଁ ଟୀକା ଅତ୍ୟନ୍ତ ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି | ତେବେ ବ୍ରାଜିଲର ଆମାଜନ ଅଞ୍ଚଳର ଜଣେ ଆଦିବାସୀ ଯୁବକ ତାଙ୍କ ୬୭ ବର୍ଷୀୟ ବାପାଙ୍କୁ କୋଭିଡ ଟିକା ଦେବା ପାଇଁ ପିଠିରେ ବୋହି ବୋହି ଟୀକାକରଣ କେନ୍ଦ୍ରକୁ ନେଇକି ଯାଇଥିଲେ | ପରେ ସେଠାରେ ଟୀକା ଦେଇ ପୁଣି ପିଠିରେ ବୋହିକି ନେଇ ଘରକୁ ଆସିଥିଲେ | ଟିକାକେନ୍ଦ୍ରରେ ପହଞ୍ଚିବା ପାଇଁ ୬ ଘଣ୍ଟା ଏବଂ ଟିକା ଦେବା ପରେ ଘରକୁ ଫେରିବା ପାଇଁ ପୁଣି ଆଉ ୬ ଘଣ୍ଟା ବାପାଙ୍କୁ ପିଠିରେ ବସାଇ ଚାଲିଚାଲି ଆସିଥିଲେ ଯୁବକ । ଏହି ଯୁବକ ଜଣକ ହେଲେ ଆମାଜନ ଅଞ୍ଚଳର ୨୪ ବର୍ଷୀୟ ତାୱି | ଆଦିବାସୀ ବାପା – ପୁଅଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଏହି ଫଟୋକୁ ଖିବା ପରେ ଲୋକେ ତାୱିଙ୍କୁ ଆଧୁନିକ ଯୁବର ‘ଶ୍ରବଣ କୁମାର’ ବୋଲି କହୁଛନ୍ତି।
ଡ଼. ଏରିକ୍ ଜେନିଙ୍ଗସ୍ ସିମୋସ୍ ତାଙ୍କ କ୍ୟାମେରାରେ ବାପା-ପୁଅଙ୍କ ଏହି ଫଟୋକୁ କଏଦ କରିଥିଲେ | ଡ଼. ଏରିକ୍ କହିଛନ୍ତି ଯେ ତାୱିଙ୍କ ବାପା ୬୭ ବର୍ଷୀୟ ୱାହୋ କିଛି ଦେଖିପାରନ୍ତି ନାହିଁ କି ଚାଲି ମଧ୍ୟ ପାରନ୍ତି ନାହିଁ | ତେବେ ଏହି ଫଟୋଟି ବାପା ପୁଅଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କର ଏକ ଅତି ସୁନ୍ଦର ପ୍ରମାଣ ଥିଲା।ଏହି ଫଟୋଟିକୁ ୨୦୨୧ରେ ଉଠାଯାଇଥିଲା, ଯେତେବେଳେ ଦେଶରେ କୋଭିଡ-୧୯ ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଡଃ.ସିମୋସ୍ ଏହାକୁ ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏହି ଫଟୋକୁ ପୋଷ୍ଟ କରି ଡାକ୍ତର ଏହାକୁ “୨୦୨୧ ର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ” ବୋଲି କହିଥିଲେ।