ନୂଆଦିଲ୍ଲୀ : ଭାରତରେ କୋଭିଡର ତୃତୀୟ ଲହର ସମ୍ପର୍କରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର ବିଶ୍ୱର ୪୦ ଜଣ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରିଛି। ଏହି ସର୍ଭେରୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମହାରାଷ୍ଟ୍ରର କୋଭିଡ୍ ଟାସ୍କଫୋର୍ସ ପୂର୍ବାନୁମାନ ରାଜ୍ୟରେ ଦୁଇରୁ ଚାରି ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିପାରେ। କିନ୍ତୁ ବିଶ୍ୱର ୪୦ ଜଣ ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି।
ଖବର ଅନୁଯାୟୀ ଜୁନ୍ ୩ ତାରିଖରୁ ୧୭ ତାରିଖ ମଧ୍ୟରେ ବିଶ୍ୱର ୪୦ଜଣ ବିଶିଷ୍ଟ ହେଲଥ କେୟାର ସ୍ପେଶାଲିଷ୍ଟ, ଡାକ୍ତର, ବୈଜ୍ଞାନିକ, ଭୂତାଣୁ ବିଶେଷଜ୍ଞ, ମହାମାରୀ ବିଶେଷଜ୍ଞଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭାରତର ବରିଷ୍ଠ ଚିକିତ୍ସକ ଡାକ୍ତର ଦେବୀ ସେଟ୍ଟୀ ଓ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏଥିରେ ସାମିଲ ଥିଲେ।
ସର୍ଭେର ତଥ୍ୟ କହୁଛି ୮୫ ପ୍ରତିଶତ ବିଶେଷଜ୍ଞ କହିଥିଲେ ଅକ୍ଟୋବରରେ ଭାରତରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ୧୨ ପ୍ରତିଶତ ବିଶେଷଜ୍ଞ କହିଥିଲେ ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ତୃତୀୟ ଲହର ଆସିପାରେ। ୭୦ ପ୍ରତିଶତ ବିଶେଷଜ୍ଞ କହିଥିଲେ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରାଯାଇପାରିବ। ଟିକାକରଣ କାରଣରୁ ଅପେକ୍ଷାକୃତ ଭଲଭାବେ ନିୟନ୍ତ୍ରଣ କରିହେବ। ଦୃଇ ତୃତୀୟାଂଶ ଡାକ୍ତର କହିଥିଲେ ଛୋଟ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। କାରଣ ସେମାନଙ୍କ ପାଇଁ ଟିକା ଆସିନାହିଁ। ୪୦ରୁ ୧୪ ବିଶେଷଜ୍ଞ ଅର୍ଥାତ ୩୫ ପ୍ରତିଶତ କହିଥିଲେ ଛୋଟ ପିଲାଙ୍କୁ ଆଦୌ ବିପଦ ନାହିଁ। ୬୫ ପ୍ରତିଶତ କହିଥିଲେ ଟିକା ନେଇଥିବା ବ୍ୟକ୍ତିଙ୍କୁ ତୃତୀୟ ଲହର ବିପଦ ହେବ ନାହିଁ। ୭୩ ପ୍ରତିଶତ କହିଥିଲେ ଆହୁରି ଏକ ବର୍ଷ ଯାଏ କରୋନାର ଭୟ ରହିବ।
ଭାରତରେ ଦ୍ୱିତୀୟ ଲହର ମାରାତ୍ମକ ହେବାରୁ ସାରା ବିଶ୍ୱର ବିଶେଷଜ୍ଞମାନେ ଭାରତର ତୃତୀୟ ଲହରକୁ ନେଇ ଅଧ୍ୟୟନ କରୁଛନ୍ତି। ସେମାନଙ୍କ କହିଛନ୍ତି ଆହୁରି ଏକ ବର୍ଷ ଯାଏ କରୋନାର ପ୍ରଭାବ ଜାରି ରହିବ। ତେବେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ ଟିକାକରଣ ଆହୁରି ବଢ଼ିବ। ଦ୍ୱିତୀୟ ଲହର କାରଣରୁ ଅନେକଙ୍କ କ୍ଷେତ୍ରରେ ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥିବ। ତେଣୁ ତୃତୀୟ ଲହରକୁ ଅପେକ୍ଷାକୃତ ଭଲଭାବେ ମୁକାବିଲା କରାଯାଇପାରିବ। ସେହିପରି ନାରାୟଣ ହେଲଥ ଇନଷ୍ଟିଚ୍ୟୁଟର ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ କହିଥିଲେ ଯଦି ଛୋଟ ପିଲା ଅନେକ ସଂଖ୍ୟାରେ ଆକ୍ରାନ୍ତ ହୁଅନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ନଥିଲେ ଶେଷ ମୂହୂର୍ତ୍ତରେ କିଛି କରାଯାଇ ପାରିବ ନାହିଁ।