ସତରେ କଣ ଏ ଯୁଗରେ ଧର୍ମ ଓ ସତ୍ୟ ଆଉ ନାହିଁ ? ଯେଉଁଠି ଭଗବାନ ନିଜେ ଅସୁରକ୍ଷିତ, ତାହେଲେ ସାଧାରଣ ଲୋକଙ୍କ କଥା ପଚାରେ କିଏ । ଦିନ ଦ୍ୱିପହରେ ଚୋରି ଡକାୟତ ହେଉଥିବା ବେଳେ ଦୁର୍ବୃତ୍ତମାନେ ମନ୍ଦିରରେ ବି କଳାକନା ବୁଲେଇବାକୁ ପଛାଉନାହାନ୍ତି | ଗତକାଲି ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି | ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କଣାସ ବ୍ଲକର ବୈଦ୍ୟନାଥ ପାଟଣା ଏବଂ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ନୂଆଜାମୁପଶି ଗ୍ରାମରେ | ଦୁବୁର୍ତ୍ତମାନେ ବୈଦ୍ୟନାଥ ପାଟଣା ଅଞ୍ଚଳର ଆରାଧ୍ୟ ଦେବତା ବାବା ବୌଦନାଥ ମନ୍ଦିର କବାଟ ତାଲା ଭାଙ୍ଗି ଠାକୁରଙ୍କ ଗହଣା ଓ ଦାନ ବାକ୍ସରୁ ଅର୍ଥ ଲୁଟି ନେବା ସହ ବହୁ ପୁରାତନ ଶିବ ଓ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ଚୋରାଇ ନେଇଛନ୍ତି । ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଡିଏସପି ଦେବଦତ୍ତ ବରାଳ ଓ କଣାସ ଥାନା ଅଧିକାରୀ ସୁଜିତ ଦାଶ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଛନ୍ତି | ଖୁବଶିଘ୍ର ଏହି ଘଟଣାର ତଦନ୍ତ କରି ମୂର୍ତ୍ତି ଖୋଜି ବାହାର କରିବା ଲାରିବା ପୋଲିସ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି | ସେହିଭଳି ସୁକିନ୍ଦା ଥାନା ଅନ୍ତର୍ଗତ ନୂଆଜାମୁପଶି ଗ୍ରାମର ମଙ୍ଗଳା ମନ୍ଦିରରୁ କେହି ଅଜଣା ଦୁବୁର୍ତ୍ତ ମନ୍ଦିର କବାଟ ତାଲା ଭାଙ୍ଗି ଠାକୁରାଣୀଙ୍କ ଗହଣା ଓ ଦାନ ବାକ୍ସରୁ ଅର୍ଥ ଲୁଟି ନେଇଛନ୍ତି | ସକାଳୁ ଗ୍ରାମବାସୀ ଦେଖିବା ପରେ ସୁକିନ୍ଦା ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି | ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏଏସଆଇ କଳ୍ପନା ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି |